ବାଂଲାଦେଶ ପରେ ପାକିସ୍ତାନ ବି କରିବ କି ୨୦୨୬ ଟି-୨୦ ବିଶ୍ଵକପକୁ ବହିଷ୍କାର !

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପକୁ ବାଂଲାଦେଶ ବହିଷ୍କାର କରିବା ନେଇ ସରକାରୀ ଘୋଷଣା ପରେ ଏବେ ଆଉ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଆଲୋଚନା ହେଉଛି ଯେ, ବାଂଲାଦେଶ ପରେ ପାକିସ୍ତାନ ମଧ୍ୟ ୨୦୨୬ ଟି-୨୦ ବିଶ୍ଵକପକୁ ବୟକଟ୍ କରିବ । ବାଂଲାଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ମ୍ୟାଚ୍ ଖେଳିବାକୁ ଅସ୍ୱୀକୃତି ଜଣାଇ ତାଙ୍କ ଟିମ୍ ୨୦୨୬ ଟି-୨୦ ୱାର୍ଲ୍ଡ କପ୍‌ରେ ଭାଗ ନେବେ ନାହିଁ। ICC ଦ୍ୱାରା ଭେନ୍ୟୁ ପରିବର୍ତ୍ତନ ଅନୁରୋଧ ଅସ୍ୱୀକୃତ ହେବା ପରେ ବାଂଲାଦେଶ ଏହି କଠୋର ସିଦ୍ଧାନ୍ତ ନେଇଛି।

ICC ବୋର୍ଡ ମିଟିଂ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏକ ଚିଠି ଲେଖି ବାଂଲାଦେଶକୁ ଭାରତ ନପଠାଇବା ସିଦ୍ଧାନ୍ତକୁ ସମର୍ଥନ କରିଥିଲା। ESPN Cricinfo ରିପୋର୍ଟ ଅନୁସାରେ, ICC ବୋର୍ଡ ମିଟିଂରେ କେବଳ ପାକିସ୍ତାନ ହିଁ ବାଂଲାଦେଶର ପକ୍ଷ ନେଇଥିଲା। କିନ୍ତୁ ଭୋଟିଂରେ ଭାରତ ପକ୍ଷରେ ଅଧିକ ଭୋଟ ପଡ଼ିଥିବାରୁ ICC ବାଂଲାଦେଶର ଭେନ୍ୟୁ ପରିବର୍ତ୍ତନ ଦାବିକୁ ଖାରଜ କରିଦେଇଥିଲା। ଏହା ପରେ ବାଂଲାଦେଶ ଦ୍ୱାରା ବିଶ୍ଵକପ୍ ବହିଷ୍କାର ଘୋଷଣା ହେବା ସହ ପାକିସ୍ତାନ ମଧ୍ୟ ସେହି ପଥ ଧରିପାରେ ବୋଲି ଦାବି ଜୋର ଧରିଥିଲା। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ICC ଯଦି ବାଂଲାଦେଶ ପକ୍ଷରେ ନିଷ୍ପତ୍ତି ନନେବ, ତେବେ ପାକିସ୍ତାନ ମଧ୍ୟ ବିଶ୍ଵକପ୍ ବହିଷ୍କାର କରିପାରେ।

ଟେଲିକମ୍ ଏସିଆ ସ୍ପୋର୍ଟ ର ଏକ ସମ୍ପ୍ରତିକ ରିପୋର୍ଟ ଅନୁସାରେ, PCB ସୂତ୍ର ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ୨୦୨୬ ଟି-୨୦ ବିଶ୍ଵକପ୍ ବହିଷ୍କାର କରିବ ନାହିଁ। ତାହାର କାରଣ ହେଉଛି ପାକିସ୍ତାନର ସମସ୍ତ ମ୍ୟାଚ୍ ପୂର୍ବରୁ ଭାରତ ବାହାରେ ଖେଳାଯିବାକୁ ସିଦ୍ଧାନ୍ତ ହୋଇସାରିଛି। ଚ୍ୟାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ BCCI ଓ PCB ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ କରାଯିବାକୁ ସମ୍ମତି ହୋଇଥିଲା। ସେହି ସମ୍ମତି ଅନୁଯାୟୀ, ୨୦୨୬ ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାରେ ଆୟୋଜିତ ହେବ। ତେଣୁ ବାଂଲାଦେଶ ଟି-୨୦ ବିଶ୍ଵକପ୍ ୨୦୨୬ ବହିଷ୍କାର କରୁଥିବାବେଳେ, ପାକିସ୍ତାନ ଟୁର୍ନାମେଣ୍ଟରେ ଭାଗ ନେବ ବୋଲି ସ୍ପଷ୍ଟ ହୋଇଛି।