ଅମାନିଆ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ:ବିଜୁଳି ବିଲ୍‌ରେ ଯୋଡ଼ା ହେବ ଇ-ଚାଲାଣ ଫାଇନ୍‌!

ସାବାଡ଼  ହେବେ ଅମାନିଆ। ବଢ଼ିବ ଇ-ଚାଲାଣ ସତ୍ତ୍ୱେ ଫାଇନ ଭରୁ ନଥିବା ଲୋକଙ୍କ ପାଇଁ ଅଡ଼ୁଆ। କାରଣ ଇ-ଚାଲାଣ ବାବଦ ଫାଇନ ଆଦାୟ କରିବାକୁ ସରକାର ଆପଣାଇ ପାରନ୍ତି ନୂଆ ରଣନୀତି। ବିଦ୍ୟୁତ ବିଲ୍ ସହ ଦେବାକୁ ପଡ଼ିବ ଫାଇନ୍ । ଇ-ଚାଲାଣ ଫାଇନକୁ ଏଣିକି ସରକାର ଲୋକଙ୍କ ବିଜୁଳି ବିଲ୍‌ରେ ଯୋଡ଼ିବାକୁ ବିଚାର କରିପାରନ୍ତି। ସବୋର୍ଚ୍ଚ ନ୍ୟାୟଳୟ ସରକାରଙ୍କୁ ଇ-ଚାଲାଣ ବାବାଦ ଫାଇନ ଆଦାୟ କରିବାକୁ ଏପରି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ଅନାଦେୟ ଟ୍ରାଫିକ ଚାଲାଣ ପାଇଁ ପ୍ରଶାସନିକ ଅଧିକାରୀମାନେ ତୃଣମୂଳ ସ୍ତରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଦରକାର। କେବଳ ଇ-ଚାଲାଣ କାଟି ଦେବା ଆଦୌ ଯଥେଷ୍ଟ ନୁହେଁ ଓ ଏହାର ପ୍ରଭାବ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, “ଯଦି ଲୋକମାନେ ଟ୍ରାଫିକ ଉଲ୍ଲଙ୍ଘନ ପାଇଁ ଫାଇନ ଦେଉ ନାହାନ୍ତି, ତା’ହେଲେ ଏହାକୁ ସେମାନଙ୍କ ବିଜୁଳି ବିଲ୍‌ରେ ଯୋଡ଼ା ଯାଉ। ସେମାନେ ବିଜୁଳି ବିଲ୍‌ ଯେମିତି ହେଲେ ଦେବେ, ନହେଲେ ସେମାନଙ୍କ ଘରୁ ସଂଯୋଗ କଟିଯିବ। ଏହାକୁ କାର୍ୟ୍ୟକାରୀ କର। ଏହି ଦେଶରେ ଆପଣଙ୍କୁ ସବୁ ପ୍ରସଙ୍ଗରେ ବାଟ ବାହାର କରିବାକୁ ପଡ଼ିବ।” ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ବର୍ତ୍ତମାନ ପୂରା ଦେଶରେ ୪୫ ହଜାର କୋଟି ଟଙ୍କାର ଇ-ଚାଲାଣ ବାକି ପଡ଼ିଥିଲା। ଏହା ମଧ୍ୟରୁ କେବଳ ୨୫ ହଜାର କୋଟି ଟଙ୍କା ଆଦାୟ ହୋଇ ପାରିଛି।