ଭୁବନେଶ୍ଵର: ଆଉ ବଢ଼ିବନି ପାଚିକାଙ୍କ ଦରମା । ପାଚିକାଙ୍କ ଦରମା ବୃଦ୍ଧି ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ । ପାଚିକାଙ୍କ ଦରମା ୨ ହଜାର ଟଙ୍କା ରହିଥିଲା । ବିଜେପି ସରକାର ଆସିବା ପରେ ହଜାରେ ବଢ଼ି ୩ ହଜାର ହୋଇଛି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ୍ ନୁହେଁ । କିଛି ଦିନ କାମ କରନ୍ତୁ, ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।

ବିଧାନସଭା ଆଗରେ ଆନ୍ଦୋଳନ କରୁଛନ୍ତି ପାଚିକା ସଙ୍ଘ। ୭ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ନିଖିଳ ଉତ୍କଳ ପାଚିକା ସଂଘ। ଆଜି ଦ୍ବିତୀୟ ଦିନରେ ପହଂଚିଛି। ଦୈନିକ ମଜୁରୀ ୪୬୨ ଟଙ୍କା ସହ ପରିଚୟ ପତ୍ର ଏବଂ ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା। ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ଅହୋରାତ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।