ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

ବାସୁଦେବପୁର: ଏକତରଫା ପ୍ରେମରେ ବିଫଳ ହେବାରୁ ଯୁବକ କଲା ଛୁରାମାଡ଼ । ପ୍ରେମକୁ ବିରୋଧ କରିବାରୁ ନାବାଳିକାର ବାପାଙ୍କ ବେକ କାଟିଦେଲା ପ୍ରେମିକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ଅନୁସାରେ, ରାଜେନ୍ଦ୍ର ରାଉତଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁ ର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଝିଅର ବାପା ଏହାକୁ ବିରୋଧ କରିଆସୁଥିଲେ । ଏହି ଘଟଣାକୁ ନେଇ ପୂର୍ବରୁ ଯୁବକଙ୍କ ସହ ଝଗଡା ମଧ୍ୟ ହୋଇଥିଲା। ଆଜି ଝିଅକୁ ନେଇ ରାଜେନ୍ଦ୍ର ଟିଉସନ ପାଇଁ ତୁଳାମତୁଳା ବିଦ୍ୟାଳୟକୁ ଯାଇଥିଲେ । ଏହି ସମୟରେ ଉକ୍ତ ଯୁବକ ଜଣକ ସେଠାରେ ପହଞ୍ଚି ସେମାନଙ୍କ ବାଟ ଅବରୋଧ କରିଥିଲା ଯାହାଫଳରେ ରାଜେନ୍ଦ୍ରଙ୍କ ସହ ଯୁବକ ଜଣକର ବଚସା ହୋଇଥିଲା । ଏହି ସମୟରେ ଯୁବକ ଜଣକ ସାଙ୍ଗରେ ନେଇଥିବା ଛୁରୀରେ ରାଜେନ୍ଦ୍ରଙ୍କ ବେକ କାଟିଦେଇ ଚମ୍ପଟ ମାରିଥିଲା। ରାଜେନ୍ଦ୍ର ଓ ତାଙ୍କ ଝିଅର  ଚିତ୍କାର ଶୁଣି ପାଖ ଲୋକମାନେ ପହଞ୍ଚି ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଇ ଯୁବକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।