ଇମ୍ଫାଲ: ମଣିପୁରରେ ସେନା ଗାଡ଼ିକୁ ଗୁଳିମାଡ଼ । ଗୁଳିମାଡରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି । ବିଷ୍ଣୁପୁର ଜିଲ୍ଲାରେ ଆସାମ୍ ରାଇଫଲ୍ସର ଗାଡ଼ିକୁ ଅତର୍କିତ ଗୁଳିମାଡ଼ । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀଙ୍କ ଫାୟାରିଂ । ଆସାମ୍ ରାଇଫଲ୍ସ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି । ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନି । ତଦନ୍ତ ପରେ ଘଟଣା ସାମ୍ନାକୁ ଆସିପାରେ ।
ମଣିପୁରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେନା ଗାଡ଼ି ଉପରକୁ ଉଗ୍ରବାଦୀଙ୍କ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ତେବେ ମଣିପୁରର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ,ଆସାମ ରାଇଫଲ୍ସର ଯବାନମାନେ ଇମ୍ଫାଲରୁ ବିଷ୍ଣୁପୁର ଅଭିମୁଖେ ଯାଉଥିବା ସମୟରେ ନାମ୍ବୋଲ ସବଲ ଲାଇକାଇ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ ବନ୍ଧୁକଧାରୀମାନେ ଏକ ଧଳା ଭ୍ୟାନରେ ପଳାଇ ଯାଇଥିଲେ। ବ୍ୟସ୍ତବହୁଳ ରାସ୍ତାରେ ସାଧାରଣ ନାଗରିକଙ୍କ ମୃତୁ୍ୟକୁ ଏଡାଇବା ପାଇଁ ଯବାନମାନେ ସଂଯମତାର ସହିତ ଜବାବ ଦେଇଥିଲେ। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।