ଭୁବନେଶ୍ଵର: ଓଡ଼ିଶାର ଶିଳ୍ପ ଇତିହାସରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟରେ ୩ ଜିଲ୍ଲାକୁ ଛାଡ଼ି ୨୭ ଜିଲ୍ଲାରେ ଶିଳ୍ପ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ସରକାର ଆଜି ୧୬ଟି ସେକ୍ଟରରେ ବିଭିନ୍ନ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଟାର୍ଗେଟ୍ର ବହୁତ ନିକଟତର ଆମେ ହୋଇପାରିଛୁ । ଆମ ସରକାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରିବାକୁ ଲାଗିଛୁ । ମାତ୍ର ୧୬୫ ଦିନରେ ୮୪ ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ କରି ସାରିଛୁ । ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି । ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକ ମାନଙ୍କ ଆସ୍ଥା ବୃଦ୍ଧି ପାଉଛି । ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଦିଗରେ ନିବେଶକ ମାନଙ୍କୁ ଆକୃଷ୍ଟ କରୁଛୁ । ମାନୁଫାକ୍ଚରିଂ ଭାଲ୍ୟୁ ଚେନ୍ରେ ଆହୁରି ଉପରକୁ ଉଠି ସାରା ବିଶ୍ୱର ବଜାରରେ କମ୍ପିଟ୍ କରି ପାରୁଥିବା ଭଳି ପ୍ରଡକ୍ଟ ନିର୍ମାଣ କରୁଛୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ମାତ୍ର ୧୫ ମାସ ହେବ ଓଡିଶାର ଶାସନ ଦାୟିତ୍ୱ ନେଇଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ଆମ ସରକାର ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ଆମେ ୮୪ ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି, ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି । ଶିଳ୍ପପତି ମାନଙ୍କୁ ଭରଷା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସରକାରୀ ବ୍ୟବସ୍ଥାରେ ବ୍ୟୁରୋକ୍ରାଟିକ୍ ପ୍ରତିବନ୍ଧକକୁ ହଟାଯାଇଛି । ଶିଳ୍ପ ପ୍ରତିଷ୍ଠାର ଯାତ୍ରାରେ, ଶିଳ୍ପପତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ, ଆମେ ସବୁ ସମୟରେ ଉପସ୍ଥିତ ଅଛୁ । ଯେକୌଣସି ଅସୁବିଧାରେ ଶିଳ୍ପପତି ମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଆମ ସରକାର ପ୍ରସ୍ତୁତ ଅଛନ୍ତି ।