ମଣିପୁର ହିଂସାକାଣ୍ଡର ୨୮ ମାସ ପରେ ପ୍ରଥମ ଥର ପାଇଁ ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମଣିପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ମଣିପୁର ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ମଣିପୁର ଗସ୍ତ । ମିଜୋରାମର ପ୍ରଥମ ରେଲୱେ ଲାଇନର ଉଦଘାଟନ ପରେ ମଣିପୁର ଯିବେ ପ୍ରଧାନମନ୍ତ୍ରୀ । ଚୁରାଚନ୍ଦପୁର ଓ ଇମ୍ଫାଲ ଗସ୍ତ କରି ହିଂସା ପୀଡ଼ିତଙ୍କ ପରିବାରକୁ ଭେଟିବେ ମୋଦି । ୮୫୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଦେବେ ପ୍ରଧାନମନ୍ତ୍ରୀ ।

୨୦୨୩ ମେ’ରୁ ମଣିପୁର ହିଂସାର କେନ୍ଦ୍ରସ୍ଥଳ ପାଲଟିଥିବା ରାଜଧାନୀ ଇମ୍ଫାଲରେ ମେଇତି ସମୁଦାୟର ଲୋକ ଅଧିକ ବସବାସ କରୁଥିବାବେଳେ ଦ୍ୱିତୀୟ ସର୍ବାଧିକ ହିଂସା ପ୍ରଭାବିତ ଅଞ୍ଚଳ ଚୂରାଚାନ୍ଦପୁର କୁକି ଅଧ୍ୟୁଷିତ। ପ୍ରଧାନମନ୍ତ୍ରୀ ଏହି ଦୁଇ ଅଞ୍ଚଳକୁ ଗସ୍ତ କରିବା ସହ ଚୂରାଚାନ୍ଦପୁର ପିସ୍‌ ଗ୍ରାଉଣ୍ଡରେ ରାଜ୍ୟ ପାଇଁ ୭,୩୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମକୁ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଣିପୁରକୁ ଶାନ୍ତି ଫେରାଇଆଣିବା ସହ ବିକାଶକୁ ତ୍ୱରାନ୍ବିତ କରିବା ବାଟ ଫିଟାଇଦେବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୨ ଜାନୁଆରୀ ୪ରେ ଇମ୍ଫାଲ ଗସ୍ତ କରିଥିଲେ। ସେତେବେଳେ ସେ ସେଠାରେ ଭିତ୍ତିଭୂମି, ସ୍ବାସ୍ଥ୍ୟସେବା ଓ ଗମନାଗମନ ସମ୍ପର୍କିତ କେତେକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ପରେ ୨୦୨୩ ମେ’ ୩ରୁ ମଣିପୁର କୁକି ଓ ମେଇତି ସମୁଦାୟର ଜାତିଆଣ ହିଂସା ଲାଗି ରହିଛି। ଇତିମଧ୍ୟରେ ଏହି ସଂଘର୍ଷରେ ୨୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୬୦,୦୦୦ରୁ ଅଧିକ ବିସ୍ଥାପିତ ହୋଇଛନ୍ତି।