ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, କରନ୍ତୁ ନାହିଁ ଏହି କାମ

ଭୁବନେଶ୍ଵର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୀର୍ଘ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ ହେବ ଏହି ଗ୍ରହଣ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ତେବେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯିବା ସହ ୨ଟା ୪୦ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯାଇଛି । ଆଜି ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଭିତରକାଠ ନିକଟରୁ ଦର୍ଶନ କରିବେ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ସ୍ଵତନ୍ତ୍ର ଦେବ ନୀତି ଆରମ୍ଭ କରାଯିବ ।

ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ଏହି ଗ୍ରହଣ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଏବଂ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ତେବେ ମେଷ, କନ୍ୟା, ତୁଳା, ବିଛା ଓ ଧନୁ ରାଶିରେ ଚନ୍ଦ୍ର ଶୁଭ ହୋଇନଥିବା କାରଣରୁ ସେମାନେ ସତର୍କତା ଅବଲମ୍ବନ କରିବା ସହ ଚନ୍ଦ୍ର ଗ୍ରହଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ବିଜ୍ଞାନ ଅନୁସାରେ, ଚନ୍ଦ୍ର ପୃଥିବୀର ଓ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଛି। ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଗୋଟିଏ ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ଚନ୍ଦ୍ର ଗ୍ରହଣ ହୁଏ। ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଆଉ ଚନ୍ଦ୍ର ଲାଲ୍ ଦେଖାଯାଏ । ତେବେ ଏହି ସ୍ଥିତି କେବଳ ପୂର୍ଣିମା ତିଥିରେ ହୋଇଥାଏ। କିନ୍ତୁ ସବୁ ପୁର୍ଣ୍ଣମୀରେ ହୁଏ ନାହିଁ ।