ଭୁବନେଶ୍ୱର:- ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା ।
ନୂତନ ଶିକ୍ଷା ନୀତି ୨୦୨୦ ଅଧୀନରେ ରାଜ୍ୟର ସମସ୍ତ ସ୍କୁଲରେ ୫-୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ସ୍କୁଲ୍ ଶିକ୍ଷା ପ୍ରଦାନ କରିବା ପାଇଁ ଶିଶୁ ବାଟିକା ଆରମ୍ଭ କରାଯାଇଥିଲା । ଏହା ସହିତ ୨୦୨୫-୨୬ ପାଇଁ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଞ୍ଜୀକୃତ ୪୧,୩୧,୦୨୪ ଜଣ ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରୁ ଉପକୃତ ହେବେ । ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା ଅନୁସାରେ ରାଜ୍ୟ ସରକାର ୨୪୭୮୬.୧୪୪୦୦ ଟଙ୍କା ମଞ୍ଜୁର କରିଛନ୍ତି । ତେବେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସ୍କୁଲ ସାମଗ୍ରୀ ଯୋଗାଇବା ।