ବୁଲା କୁକୁରଙ୍କୁ ନେଇ ଆସିଲା ଲୋକାଲ ସର୍କଲ ସର୍ଭେ ରିପୋର୍ଟ । ଏହି ରିପୋର୍ଟରୁ ଯାହା ଜଣାପଡିଛି କି ୭୧ ପ୍ରତିଶତ ଲୋକ ବୁଲା କୁକୁରଙ୍କୁ ହଟାଇ ୮ ସପ୍ତାହ ମଧ୍ୟରେ ଆଶ୍ରୟସ୍ଥଳକୁ ପଠାଇବା ପାଇଁ ସଦ୍ୟତମ ନିର୍ଦ୍ଦେଶକୁ “ସମ୍ପୂର୍ଣ୍ଣ ସମର୍ଥନ” କରିଛନ୍ତି । କେବଳ ୨୪ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନେ ଏହି ନିର୍ଦ୍ଦେଶକୁ “ସମର୍ଥନ କରିନାହାଁନ୍ତି” ଏବଂ ୫ ପ୍ରତିଶତ ଉତ୍ତରଦାତା ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି।ସର୍ଭେରେ କୁହାଯାଇଛି ଯେ ଫଳାଫଳଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦିଲ୍ଲୀ-ଏନସିଆରର ଅଧିକାଂଶ ବାସିନ୍ଦା “ସେମାନଙ୍କ ପୌରପାଳିକା ଦ୍ୱାରା ଦୁଇ ବିଚାରପତିଙ୍କ ଖଣ୍ଡପୀଠର ଆଦେଶ କାର୍ଯ୍ୟକାରୀ କରିବା ସପକ୍ଷରେ। ଲୋକାଲ୍ ସର୍କଲ୍ ସର୍ଭେରେ ଦିଲ୍ଲୀ, ଗୁଡ଼ଗାଓଁ, ନୋଏଡା, ଫରିଦାବାଦ ଏବଂ ଗାଜିଆବାଦର ବାସିନ୍ଦାଙ୍କଠାରୁ ୧୨,୮୧୬ଟି ପ୍ରତିକ୍ରିୟା ମିଳିଛି। ସର୍ଭେରେ ୬୨ ପ୍ରତିଶତ ପୁରୁଷ ଏବଂ ୩୮ ପ୍ରତିଶତ ମହିଳା ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀ-ଏନସିଆରରେ ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ଗୁରୁବାର, ଅଗଷ୍ଟ ୧୪ ତାରିଖରେ, ସୁପ୍ରିମକୋର୍ଟ ୧୧ ଅଗଷ୍ଟର ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପାଇଁ ଏକ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଏହା ପରେ, ଦୁଇ ଜଣ ବିଚାରପତିଙ୍କ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ସମ୍ପୂର୍ଣ୍ଣ ସମସ୍ୟା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ହୋଇଛି। ବିଚାରପତି ସନ୍ଦୀପ ମେହେଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯିଏ ସୁପ୍ରିମକୋର୍ଟଙ୍କ ପାଖକୁ ଯାଇ ହସ୍ତକ୍ଷେପ ଆବେଦନ ଦାଖଲ କରିଛନ୍ତି, ସେମାନଙ୍କୁ ନିଜର ଦାୟିତ୍ୱ ନେବାକୁ ପଡିବ।

ଦିଲ୍ଲୀ-ଏନସିଆରର ସମସ୍ତ ଅଞ୍ଚଳରୁ ବୁଲା କୁକୁରମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ଗୁରୁବାର ଶୁଣାଣି ହୋଇଥିଲା। ଅଗଷ୍ଟ ୧୧ ତାରିଖରେ, ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ଏନସିଆରରେ ବୁଲା କୁକୁର କାମୁଡ଼ା ଯୋଗୁଁ ପିଲାମାନଙ୍କଠାରେ ହେଉଥିବା ରାବିଜ୍ ମାମଲା ଉପରେ ସ୍ୱତଃ ବିଚାର କରିଥିଲେ ଏବଂ ୨୮ ଜୁଲାଇରୁ ଶୁଣାଣି ଆରମ୍ଭ କରିଥିଲେ। ବିଚାରପତି ଜେବି ପାରଡିୱାଲା ଏବଂ ଆର ମହାଦେବନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜାଣିବାକୁ ପାଇଲେ ଯେ କୁକୁର କାମୁଡ଼ା ଘଟଣା ଏକ “ଅତ୍ୟନ୍ତ ଗମ୍ଭୀର” ପରିସ୍ଥିତି ସୃଷ୍ଟି କରିଛି ଏବଂ ଦିଲ୍ଲୀ-ଏନସିଆରରେ ସମସ୍ତ ବୁଲା କୁକୁରଙ୍କୁ “ଶୀଘ୍ର” ସ୍ଥାୟୀ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।