ଭୁବନେଶ୍ୱରରେ ଆୟୋଜିତ ହେବ ଅନ୍ତର୍ଜାତୀୟ ରଗ୍ବୀ ପ୍ରତିଯୋଗିତା

ଭୁବନେଶ୍ୱରରେ ଆୟୋଜିତ ହେବ ଅନ୍ତର୍ଜାତୀୟ ରଗ୍‌ବୀ ପ୍ରତିଯୋଗିତା। ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିଅନସିପ୍‌-୨୦୨୬। ଏହି ପ୍ରତିଯୋଗିତାରେ ଭାରତ ସମେତ ୧୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ ୧୭ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର।

ପ୍ରତିଯୋଗିତାରେ ଭାରତ, ହଂକଂ, ଚୀନ, ଉଜ୍‌ବେକିସ୍ତାନ, ଚାଇନିଜ୍‌ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁର ସମେତ ଜୋର୍ଡାନର ଦଳ ଅଂଶଗ୍ରହଣ କରିବେ ବୋଲି ଆୟୋଜନ ସମ୍ପର୍କିତ ସୂଚନାରେ ଉଲ୍ଲେଖ ରହିଛି। ଏହି ଚାମ୍ପିଅନସିପ୍‌ ପାଇଁ ଭାରତୀୟ ଦଳରେ ଓଡ଼ିଶାର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଯାହା ରାଜ୍ୟର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ।

ଅନ୍ୟପକ୍ଷରେ, ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ନେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ରଗ୍‌ବୀ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ୍‌ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏହି ଆୟୋଜନ କରାଯାଉଛି। ଖେଳାଳିଙ୍କ ରହଣି, ଯାତାୟାତ, ସୁରକ୍ଷା ଓ ଷ୍ଟାଡିୟମରେ ଆବଶ୍ୟକୀୟ ବ୍ୟବସ୍ଥା ସହ ପ୍ରତ୍ୟେକ ଦିଗର ସମୀକ୍ଷା କରାଯାଇଛି। ଅନ୍ତର୍ଜାତୀୟ ସ୍ତରର ଏହି ପ୍ରତିଯୋଗିତା ଆୟୋଜନ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ା ପର୍ଯ୍ୟଟନକୁ ଆହୁରି ମଜଭୁତ କରିବା ସହ ରାଜ୍ୟକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନୂଆ ପରିଚୟ ଦେବ ବୋଲି ଆଶା ପ୍ରକାଶ ପାଇଛି।