ଭାରତୀୟ ସିନେମା ପାଇଁ ଓସ୍କାର ଦୌଡ଼ ଏଥର ଅଧିକ ରୋଚକ ହେବାକୁ ଯାଉଛି। ଆଗାମୀ ୯୯ତମ ଏକାଡେମୀ ପୁରସ୍କାର ପାଇଁ ବିଚାର ନିମନ୍ତେ ନିର୍ମାତାମାନେ ଫିଲ୍ମ ‘ରାମାୟଣ’କୁ ଦାଖଲ କରିଥିବା ଜଣାପଡ଼ିଛି। ଏନଡିଟିଭିର ଏକ ସ୍ୱତନ୍ତ୍ର ରିପୋର୍ଟରୁ ଏହି ସୂଚନା ମିଳିଛି। ଅନ୍ୟପଟେ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଓସ୍କାରର ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ ବର୍ଗରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ କରାଯାଇଛି।
ତେବେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଚୟନ ହେବାର ଅର୍ଥ ନୁହେଁ ଯେ, ଅନ୍ୟ ଭାରତୀୟ ଫିଲ୍ମ ଓସ୍କାର ପାଇଁ ଆବେଦନ କରିପାରିବେ ନାହିଁ। ଏକାଡେମୀର ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଯେକୌଣସି ଫିଲ୍ମ ସ୍ୱତନ୍ତ୍ର ଭାବେ ବିଚାର ପାଇଁ ଆବେଦନ କରିପାରିବ।
ନିୟମ ଅନୁଯାୟୀ, ଏକ ସ୍ୱତନ୍ତ୍ର ଫିଚର୍ ଫିଲ୍ମକୁ ଓସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆମେରିକାର ନିର୍ଦ୍ଧାରିତ ମହାନଗର ଅଞ୍ଚଳରେ କ୍ରମାଗତ ୭ ଦିନ ପର୍ଯ୍ୟନ୍ତ ଥିଏଟରରେ ପ୍ରଦର୍ଶିତ ହେବାକୁ ପଡ଼ିବ। ଏଥିସହ ପ୍ରତିଦିନ ନିର୍ଦ୍ଧାରିତ ସଂଖ୍ୟକ ସୋ’ ମଧ୍ୟ ରହିବା ଆବଶ୍ୟକ। ଲସ୍ ଆଞ୍ଜେଲସ୍ କାଉଣ୍ଟି, ନ୍ୟୁୟର୍କ ସିଟି, ସାନ୍ ଫ୍ରାନ୍ସିସ୍କୋ ବେ ଏରିଆ, ଚିକାଗୋ, ଡାଲାସ୍–ଫୋର୍ଟ ୱର୍ଥ ଓ ଆଟଲାଣ୍ଟା ଭଳି ଅଞ୍ଚଳ ଏହି ତାଲିକାରେ ରହିଛି। ଏହି ସର୍ତ୍ତ ପୂରଣ ପରେ ନିର୍ମାତା କିମ୍ବା ବିତରକ ଓସ୍କାରର ଜେନେରାଲ୍ ଏଣ୍ଟ୍ରି ଫର୍ମ ଅନଲାଇନରେ ଦାଖଲ କରିପାରିବେ।
ଅନ୍ୟପଟେ ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ ବର୍ଗ ପାଇଁ ନିୟମ କିଛିଟା ଭିନ୍ନ। ଏହି ବର୍ଗରେ ‘ଗୋଟିଏ ଦେଶ, ଗୋଟିଏ ଫିଲ୍ମ’ ନୀତି ଲାଗୁ ହୋଇଥାଏ। ଅର୍ଥାତ୍ ପ୍ରତ୍ୟେକ ଦେଶ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଚୟନ କମିଟି ଗୋଟିଏ ଫିଲ୍ମକୁ ଅଫିସିଆଲ୍ ଏଣ୍ଟ୍ରି ଭାବେ ପଠାଇଥାଏ। ତେଣୁ ଏହି ବର୍ଗରେ ଭାରତ ପକ୍ଷରୁ କେବଳ ଗୋଟିଏ ଫିଲ୍ମକୁ ଅଫିସିଆଲ୍ ଭାବେ ମନୋନୀତ କରାଯାଇପାରିବ।