ମହାକାଶରୁ ଦିଶିଲା ଧୂଆଁର ଚାଦର

ଦୀପାବଳି ପରେ ଉତ୍ତର ଭାରତରେ ବଢ଼ିଛି ବାୟୁ ପ୍ରଦୂଷଣର ମାତ୍ରା। ତାପମାତ୍ରା ହ୍ରାସ ସହ ବାୟୁମଣ୍ଡଳରେ ଜମି ରହିଥିବା ବିଷାକ୍ତ ଧୂଆଁ ଓ ଧୂଳିର ଆସ୍ତରଣ ଏତେ ଘନ ହୋଇଛି ଯେ, ତାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ନଭେମ୍ବର ୧୦ ତାରିଖର ସାଟେଲାଇଟ୍‌ ଚିତ୍ରରେ ଭାରତର ଏକ ବଡ଼ ଅଞ୍ଚଳ ଘନ ଧୂସର ଚାଦରରେ ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା (NASA)ର ୱାର୍ଲ୍ଡଭ୍ୟୁ (Worldview) ଟୁଲ୍‌ରେ ଏହି ଚିତ୍ର କଏଦ ହୋଇଛି। ଏହା ଏକ ଇଣ୍ଟରାକ୍ଟିଭ୍‌ ମ୍ୟାପିଂ ଓ ଭିଜୁଆଲାଇଜେସନ୍‌ ପ୍ଲାଟଫର୍ମ, ଯାହା ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳର ସାଟେଲାଇଟ୍‌ ଚିତ୍ର ଦେଖିହୁଏ।

ସାଟେଲାଇଟ୍‌ ଚିତ୍ର ଅନୁଯାୟୀ, ଉତ୍ତର ଭାରତରେ ଧୂଆଁ ଓ କୁହୁଡ଼ିର ଘନତା ସର୍ବାଧିକ ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ପଡ଼ୋଶୀ ଉତ୍ତରପ୍ରଦେଶ ଏବଂ ଆଖପାଖର କେତେକ ରାଜ୍ୟ ଏହାର ପ୍ରଭାବରେ ରହିଛନ୍ତି। ଏହି ଧୂସର ଆସ୍ତରଣ ଉତ୍ତର ଦିଗକୁ ବିସ୍ତାରିତ ହୋଇ ହିମାଳୟ ଅଞ୍ଚଳର ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ପହଞ୍ଚିଛି।

କେବଳ ଉତ୍ତର ଭାରତ ନୁହେଁ, ଦେଶର ମଧ୍ୟ ଓ ଦକ୍ଷିଣ ଭାଗର କେତେକ ଅଞ୍ଚଳ ମଧ୍ୟ ଧୂଆଁର ଆସ୍ତରଣରେ ଢାଙ୍କି ହୋଇଛି। ତେବେ ଏହି ଅଞ୍ଚଳଗୁଡ଼ିକରେ ଧୂଆଁର ଘନତା ଉତ୍ତର ଭାରତ ତୁଳନାରେ କମ୍‌ ରହିଛି।  ଶୀତ ଆରମ୍ଭ ସହ ପ୍ରତିବର୍ଷ ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ଓ ଧୂଆଁର ଆସ୍ତରଣ ଏକ ବଡ଼ ସମସ୍ୟା ଭାବେ ଦେଖାଦେଉଛି। ଚଳିତବର୍ଷ ମଧ୍ୟ ଦୀପାବଳି ପରେ ଏହାର ଘନତା ସାଟେଲାଇଟ୍‌ ଚିତ୍ରରେ ସ୍ପଷ୍ଟ ହୋଇଛି।