ଶୀତ ଆସିଲେ ଘରେ ଝୁଲେ ତାଲା!

ଏମିତି ଦୁଇଟି ଗାଁ, ଯେଉଁଠି ବର୍ଷର ପ୍ରାୟ ୬ ମାସ ରହନ୍ତି ନାହିଁ କେହି ଜଣେ ବି ମଣିଷ। ଘରେ ତାଲା ଝୁଲେ, ରାସ୍ତାଘାଟ ଶୂନଶାନ୍‌ ହୋଇଯାଏ। ଚାରିଆଡ଼େ ଖେଳିଯାଏ ନିରବତା। ହେଲେ ଏହା କୌଣସି ଭୂତ ଗାଁର କାହାଣୀ ନୁହେଁ, ବରଂ ନେପାଳର ଦୁଇଟି ଗାଁର ବାସ୍ତବ ଚିତ୍ର। ଶୀତ ଆସିବା ପୂର୍ବରୁ ଗାଁର ସମସ୍ତ ଲୋକ ଘରଦ୍ୱାର ଛାଡ଼ି ଚାଲିଯାଆନ୍ତି। ପୁଣି ୬ ମାସ ପରେ ନିଜ ଭିଟାମାଟିକୁ ଫେରନ୍ତି। ଏହି ନିଆରା ପରମ୍ପରା ପଛରେ ରହିଛି ପ୍ରକୃତିର କଠୋରତା।

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ଦୁଇ ଗାଁ

ନେପାଳର ଦାର୍ଚୁଲା ଜିଲ୍ଲାରେ ରହିଛି ଟିଙ୍କର ଓ ଛାଙ୍ଗରୁ ନାମକ ଦୁଇଟି ଗାଁ। ଭାରତ ଓ ଚୀନ୍‌ ସୀମା ନିକଟରେ ଅବସ୍ଥିତ ଏହି ଗାଁ ଦୁଇଟିରେ ଶୀତଦିନେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ। ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ଏଥିପାଇଁ ପ୍ରତିବର୍ଷ ଗାଁର ସମସ୍ତ ପରିବାର ପ୍ରାୟ ୬ ମାସ ପାଇଁ ଅନ୍ୟ ସ୍ଥାନକୁ ଚାଲିଯାଆନ୍ତି।

କାହିଁକି ଗାଁ ଛାଡ଼ନ୍ତି ଲୋକେ?

ଏହା ପଛରେ ରହିଛି ପ୍ରକୃତିର କଠୋରତା। ଶୀତଦିନେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୁଏ। ରାସ୍ତାଘାଟ ବରଫରେ ଢାଙ୍କି ହୋଇଯିବା ସହ ତାପମାତ୍ରା ଅତ୍ୟଧିକ କମିଯାଏ। ଫଳରେ ଖାଦ୍ୟ, ପାଣି ଓ ଦୈନନ୍ଦିନ ଜୀବନ ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ତେଣୁ ଶୀତ ଆସିବା ପୂର୍ବରୁ ଜୀବନ ରକ୍ଷା ପାଇଁ ସେମାନେ ତଳିଆ ଅଞ୍ଚଳକୁ ଚାଲିଯାଆନ୍ତି।

ଦୁଇ ଗାଁରେ ରୁହନ୍ତି ପ୍ରାୟ ୧୨୦୦ ଲୋକ

ରିପୋର୍ଟ ଅନୁସାରେ, ଟିଙ୍କର ଗାଁରେ ପ୍ରାୟ ୭୫ଟି ଘର ଥିବାବେଳେ ଛାଙ୍ଗରୁ ଗାଁରେ ରହିଛି ୧୨୪ଟି ଘର। ଉଭୟ ଗାଁର ମୋଟ ଜନସଂଖ୍ୟା ପ୍ରାୟ ୧୨୦୦। ଏହି ଗାଁ ଦୁଇଟି ନେପାଳର ବ୍ୟାସ ଗ୍ରାମୀଣ ପୌରପାଳିକାର ୱାର୍ଡ ନମ୍ବର ୧ ଅଧୀନରେ ଆସୁଛି। ନଭେମ୍ବର ମଧ୍ୟଭାଗ ସୁଦ୍ଧା ଉଭୟ ଗାଁ ପ୍ରାୟ ଜନଶୂନ୍ୟ ହୋଇଯାଏ।

ଗାଁ ଛାଡ଼ିବା ପୂର୍ବରୁ କରନ୍ତି ବଡ଼ ପ୍ରସ୍ତୁତି

ଶୀତଦିନ ପାଇଁ ଗାଁ ଛାଡ଼ିବା ପୂର୍ବରୁ ପରିବାରଗୁଡ଼ିକୁ ଅନେକ ଦିନ ଆଗରୁ ପ୍ରସ୍ତୁତି କରିବାକୁ ପଡ଼େ। ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଜାଳେଣି କାଠ ସଂଗ୍ରହ କରି ରଖନ୍ତି। ଗୃହପାଳିତ ପଶୁଙ୍କ ପାଇଁ ଘାସ ଓ ଚାରା କାଟି ଶୁଖାଇ ରଖନ୍ତି। ଏହା ସହ ଶୁଖିଲା ପତ୍ର ମଧ୍ୟ ଜମା କରନ୍ତି। ଏପ୍ରିଲରେ ଗାଁକୁ ଫେରିବା ପରେ ଏହି ପତ୍ରକୁ ବିଛଣା ଭାବେ ବ୍ୟବହାର କରନ୍ତି।

ଏହି ପ୍ରବାସକୁ କୁହାଯାଏ ‘କୁଞ୍ଚା ସର୍ନେ’

ପ୍ରତିବର୍ଷ ଶୀତଦିନେ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ଯିବାର ଏହି ପରମ୍ପରାକୁ ସ୍ଥାନୀୟ ଭାଷାରେ ‘କୁଞ୍ଚା ସର୍ନେ’ କୁହାଯାଏ। ଏହା ଏକ ପ୍ରକାର ଋତୁକାଳୀନ ପ୍ରବାସ। ନେପାଳର ତିହାର ପର୍ବ ସମୟରେ ଲୋକେ ଏଥିପାଇଁ ପ୍ରସ୍ତୁତି କରନ୍ତି। ପର୍ବ ପାଳନ ସହିତ ଗାଁ ଛାଡ଼ିବାର ଆୟୋଜନ ମଧ୍ୟ ଚାଲିଥାଏ।

ଗାଁ ଛାଡ଼ିବା ପୂର୍ବରୁ କରନ୍ତି ଚାଷବାସ

ଏହି ଗାଁର ଲୋକଙ୍କ ଚାଷ କରିବାର ଯୋଜନା ମଧ୍ୟ ନିଆରା। ଗାଁ ଛାଡ଼ିବା ପୂର୍ବରୁ ସେମାନେ ଧନିଆ ଓ ସୋରିଷ ଶାଗର ମଞ୍ଜି ବୁଣି ଦେଇଥାଆନ୍ତି। ଫଳରେ ଏପ୍ରିଲରେ ଗାଁକୁ ଫେରିବା ବେଳକୁ ଗଛଗୁଡ଼ିକ ବଢ଼ି ଖାଇବା ଉପଯୋଗୀ ହୋଇଯାଇଥାଏ। ଏହାଦ୍ୱାରା ଫେରିବା ପରେ ଖାଦ୍ୟ ପାଇଁ ସେମାନଙ୍କୁ ଅଧିକ ଅସୁବିଧା ହୁଏନାହିଁ।

ଭାରତ ଦେଇ ଏକ ସପ୍ତାହର ପାଦଚଲା ଯାତ୍ରା

ଗାଁରୁ ତଳିଆ ଅଞ୍ଚଳକୁ ଯିବା ପାଇଁ ଲୋକଙ୍କୁ ଭାରତୀୟ ଅଞ୍ଚଳ ଦେଇ ଯାତ୍ରା କରିବାକୁ ପଡ଼େ। ପାଦରେ ଚାଲି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ପ୍ରାୟ ଏକ ସପ୍ତାହ ଲାଗିଥାଏ। ଏହି ଯାତ୍ରାରେ ସେମାନେ କ୍ଷୀର ଦେଉଥିବା ଗାଈଙ୍କୁ ସାଙ୍ଗରେ ନେଇଯାଆନ୍ତି। ଅନ୍ୟ ପଶୁମାନଙ୍କୁ ରାସ୍ତାରେ ଭଲ ଚାରଣଭୂମି ଥିବା ସ୍ଥାନରେ ମେଷପାଳକଙ୍କ ଜିମାରେ ଛାଡ଼ିଦିଅନ୍ତି। ଗାଁକୁ ଫେରିବା ସମୟରେ ପୁଣି ସେମାନଙ୍କୁ ସାଙ୍ଗରେ ନେଇଆସନ୍ତି।

ଏପ୍ରିଲରେ ପୁଣି ଫେରେ ଜୀବନ

ପ୍ରାୟ ୬ ମାସ ଧରି ଘରେ ତାଲା ଝୁଲିବା ପରେ ଏପ୍ରିଲ ମାସରେ ଲୋକେ ପୁଣି ନିଜ ଗାଁକୁ ଫେରନ୍ତି। ବରଫ ତରଳିବା ସହ ଗାଁରେ ପୁଣି ଆରମ୍ଭ ହୁଏ ଜୀବନଯାତ୍ରା। ଚାଷବାସ, ପଶୁପାଳନ ଓ ଦୈନନ୍ଦିନ କାମରେ ଲାଗିପଡ଼ନ୍ତି ଲୋକେ। ଏଭଳି ଭାବେ ପ୍ରକୃତିର ପରିସ୍ଥିତି ସହ ଖାପ ଖୁଆଇ ଶହ ଶହ ବର୍ଷ ଧରି ଏହି ନିଆରା ପରମ୍ପରା ଚାଲିଆସୁଥିବା କୁହାଯାଏ।