ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷଣା, ୩ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ

ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଯୁବ ଭାରତୀୟ ହକି ଦଳ। ଆଗାମୀ ୩ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳରେ ତିନି ଜଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିମାନେ ହେଲେ ନିଲମ୍‌ ସଞ୍ଜୀପ ଖେସ୍‌, ଅନ୍‌ମୋଲ ଏକ୍କା ଏବଂ ରୋଷନ କୁଜୁର। ଅନ୍ୟପଟେ ଅଧିନାୟକ ହରମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି। ଯୁବ ଦଳର ନେତୃତ୍ୱ ନେବେ ସଞ୍ଜୟ।

ନଭେମ୍ବର ୧୯, ୨୧ ଓ ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ତିନୋଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଗତ କିଛି ମାସ ମଧ୍ୟରେ ବିଶ୍ୱକପ୍‌, ଏସୀୟ କ୍ରୀଡ଼ା ଓ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ପ୍ରତିଯୋଗିତାରେ ଭାରତୀୟ ବରିଷ୍ଠ ଦଳ ଅଂଶଗ୍ରହଣ କରିଥିବାରୁ ଖେଳାଳିଙ୍କୁ ବିଶ୍ରାମ ଦେବା ସହ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ଗସ୍ତର ରହିଛି ଏକ ଐତିହାସିକ ମହତ୍ତ୍ୱ। ୧୯୨୬ ମସିହାରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ସେହି ଗସ୍ତର ୧୦୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଏହି ଶୃଙ୍ଖଳା ଆୟୋଜନ କରାଯାଉଛି। ଏହି ଗସ୍ତ ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ ସହ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବାର ଏକ ବଡ଼ ସୁଯୋଗ ହେବ।