ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ଣ ୧୨ଟା ୧୫ରେ କର୍ତ୍ତବ୍ୟ ଭବନ ପରିଦର୍ଶନ ପୂର୍ବକ ଉଦ୍‌ଘାଟନ କରିବେ ମୋଦି । ପରେ ସନ୍ଧ୍ୟା ୬ଟା ୩୦ରେ ଏକ ସାଧାରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଆଧୁନିକ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ଶାସନ ଦୃଷ୍ଟିକୋଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଉଦଘାଟନ ହେବାକୁ ଯାଉଥିବା କର୍ତ୍ତବ୍ୟ ଭବନ-୩ ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ। ଏହା ସାଧାରଣ କେନ୍ଦ୍ରୀୟ ସଚିବାଳୟ କୋଠା ମଧ୍ୟରୁ ପ୍ରଥମ ଯାହା ପ୍ରଶାସନିକ ପ୍ରକ୍ରିୟାକୁ ସୁଗମ କରିବା ଏବଂ ସୁଦକ୍ଷ ଶାସନକୁ ସମ୍ଭବ କରିବା ପାଇଁ ଲକ୍ଷ୍ୟ ରଖିଛି।

ତେବେ ଏହି ବିଲ୍ଡିଂ ଭାରତର ଅନ୍ୟତମ ପାଓ୍ୱାର କରିଡର ଭାବେ ଉଭା ହେବାକୁ ଯାଉଛି । କାହିଁକି ନା ଦେଶର ଏକାଧିକ ମନ୍ତ୍ରାଳୟ ଏବେ ଏହି ନୂଆ ଭବନରୁ କାର୍ଯ୍ୟ କରିବ ।ଏହି ଭବନରେ ହିଁ ଗୃହ ମନ୍ତ୍ରାଳୟ ସହିତ ବିଦେଶ ମନ୍ତ୍ରାଳୟ, କୃଷି ମନ୍ତ୍ରାଳୟ, ଉଦ୍ୟୋଗ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରାଳୟ କାର୍ଯ୍ୟ କରିବ । ଏହି ଭବନ ଭିତରେ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଆଉ ନିର୍ମାଣ ଭବନ ରହିଛି ।କର୍ତ୍ତବ୍ୟ ଭବନ-୦୩ ଦିଲ୍ଲୀରେ ବିସ୍ତାରିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକତ୍ର କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ନୂଆ ଭବନରେ ଆଧୁନିକ ସୁବିଧା ସୁଯୋଗ ସହିତ ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି । ଏହାର ପରିସର ୧.୫ ଲକ୍ଷ ବର୍ଗମିଟରରେ ପରିବ୍ୟାପ୍ତ । ଏହି ବିଲ୍ଡିଂ ୭ ମହଲା ବିଶିଷ୍ଟ । ଏଥିରେ ଏକ ଇନ-ହାଉସ୍ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ରହିଛି । ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି। ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ଶକ୍ତି ସଂରକ୍ଷଣରେ ସାହାଯ୍ୟ କରିବ।