ରାଣୀ ମୁଖାର୍ଜୀ ଓ ବିକ୍ରାନ୍ତ ମେସିଙ୍କୁ ମିଳିପାରେ ଜାତୀୟ ପୁରସ୍କାର !

ମୁମ୍ବାଇ: ‘୧୨ଥ୍ ଫେଲ୍’ ପାଇଁ ବିକ୍ରାନ୍ତ ମେସି ଓ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ମିଳିପାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ! ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ୭୧ତମ ସଂସ୍କରଣ ଦୌଡରେ ସବୁଠାରୁ ଆଗରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବଂ ଅଭିନେତା ବିକ୍ରାନ୍ତ ମେସିଙ୍କ ନାମ ଥିବା ଶୁଣିବାକୁ ମିଳୁଛି । ତେବେ ଗତ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏହି ୨ଟି ଫିଲ୍ମ ପାଇଁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କୁହାଯାଉଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ କି ଉଭୟ ଅଭିନେତା କି ଅଭିନେତ୍ରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ଏକ ସତ୍ୟ ଘଟଣା ଉପରେ ଆଧାରିତ, ଯେଉଁଥିରେ ଜଣେ ପ୍ରବାସୀ ଭାରତୀୟ ମା’ ନିଜ ସନ୍ତାନକୁ ଫେରି ପାଇବା ପାଇଁ ନରୱେ ସରକାରଙ୍କ ସହ କରୁଥିବା ଆଇନଗତ ଲଢ଼େଇକୁ ଦର୍ଶାଯାଇଛି । ସେହିପରି ଅଭିନେତା ବିକ୍ରାନ୍ତ ମେସିଙ୍କ ଅଭିନୀତ ‘୧୨ଥ୍ ଫେଲ୍’ ଚଳଚ୍ଚିତ୍ରରେ ଜଣେ ସାଧାରଣ ଯୁବକର ଅସାଧାରଣ ସଂଘର୍ଷ ଏବଂ ସଫଳତାର କାହାଣୀ ଦର୍ଶାଯାଇଛି ।

‘୧୨ଥ୍ ଫେଲ୍’ ଚଳଚ୍ଚିତ୍ରରେ ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମାଙ୍କ ଭୂମିକାରେ ଅଭିନୟ କରିଥିଲେ ବିକ୍ରାନ୍ତ ମେସି । ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କେବଳ ବକ୍ସ ଅଫିସରେ ସଫଳ ହୋଇନଥିଲା, ବରଂ ଏହା ଦର୍ଶକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଥିଲା । ସେହିପରି ଆଶିମା ଚିବ୍ବରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ୨୦୧୧ରେ ନରୱେ ପୁଲିସ ଦ୍ୱାରା ଏକ ଭାରତୀୟ ଦମ୍ପତିଙ୍କ ସନ୍ତାନଙ୍କୁ ଅପହରଣ ଘଟଣାର ସତ୍ୟ କାହାଣୀ ଉପରେ ଆଧାରିତ। ଯେଉଁଥିରେ ନିଖୁଣ ଏବଂ ହୃଦୟସ୍ପର୍ଶୀ ଅଭିନୟ କରି ରାଣୀ ମୁଖାର୍ଜୀ ପ୍ରଶଂସକଙ୍କ ମନରେ ରାଣୀ ହୋଇ ରହିଥିଲେ । ତେବେ ଏହି ଦୁହିଙ୍କର ସରଳ ଏବଂ ପ୍ରଭାବଶାଳୀ ଅଭିନୟ ପାଇଁ ସେମାନେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଜାତୀୟ ପୁରସ୍କାରର ଶକ୍ତିଶାଳୀ ଦାବିଦାର ବୋଲି କୁହାଯାଉଛି ।