ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚର ତନାଘନା । ଆଜି ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । କଳାହାଣ୍ଡିରୁ ଜଣେ ଓ କୋରାପୁଟରୁ ୨ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଉକ୍ତ ଘଟଣାରେ ୪ ଶିକ୍ଷକଙ୍କ ସମେତ ୬ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ୬ ଗିରଫଙ୍କ ମଧ୍ୟରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ହେଉଛନ୍ତି ମାଷ୍ଟରମାଇଣ୍ଡ ।
ଅନ୍ୟପଟେ OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯେଉଁମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ସେମାନଙ୍କୁ ଖୋଜି ଖୋଜି ଗିରଫ କରାଯିବ । ଦୋଷୀ ନିଜେ ଶିକ୍ଷକ ହୁଅନ୍ତୁ କି କୋଉ ବଡ଼ ଲୋକ, ଦଣ୍ତ ନିହାତି ମିଳିବ । ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ମଧ୍ୟରେ କିଛି ଲୋକଙ୍କୁ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ଗିରଫ କରିଛି । ଘଟଣାର ଏବେ ତଦନ୍ତ ଚାଲିଛି । ତେଣୁ ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।