ନୂଆଦିଲ୍ଲୀ: ଆଜି ଉତ୍କ୍ଷେପଣ ହେବ ନିସାର୍(NISAR) ଉପଗ୍ରହ । ଶ୍ରୀହରିକୋଟ୍ଟା ସ୍ପେଶ୍ ଷ୍ଟେସନ୍ରୁ ଅପରାହ୍ନ ୫ଟା ୪୦ରେ ହେବ ଲଞ୍ଚ୍ । GSLV-F16 ଜରିଆରେ ମହାକାଶ ପଠାଯିବା ଉପଗ୍ରହ । ତେବେ ISRO ଏବଂ NASAର ମିଳିତ ବିକଶିତ ମିଶନ୍ ହେଉଛି ଏହି ନିସାର୍ ମିଶନ । ଏହି ଉପଗ୍ରହ ପୃଥିବୀ ଉପରେ ଅଧିକ ଗବେଷଣା ଓ ଅନୁଧ୍ୟାନ କରିବ। ଯାହା ଦୁଇ ଦେଶର ସବୁଠାରୁ ବଡ ମିଳିତ ପୃଥିବୀ ବିଜ୍ଞାନ ଅଭିଯାନ ହେବ। ନିସାର ଉପଗ୍ରହର ଓଜନ ୨୩୯୨ କିଲୋ ହୋଇଥିବାବେଳେ ଏହାକୁ ତିଆରି ପାଇଁ ୧୩୦କୋଟି ଡଲାର ଖର୍ଚ୍ଚ ହୋଇଛି। ଏଥିରେ ଦୁଇ ଦେଶର ୫୦% ଲେଖାଏଁ ଅଂଶ ରହିଛି।
ଏହି ଉପଗ୍ରହ ସମଗ୍ର ପୃଥିବୀ ଗ୍ରହକୁ ଅନୁଧ୍ୟାନ କରିବା ପୂର୍ବକ ପାଣିପାଗ, ପୃଥିବୀ ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ହିମଖଣ୍ଡର ପ୍ରବାହ ଓ ବିଭିନ୍ନ ଅଞ୍ଚଳରେ ହେଉଥିବା ଦିନ ରାତିର ତଥ୍ୟ ପ୍ରଦାନ କରିବ। ଏପରି କି ପୃଥିବୀ ବିଶାଳ ଜଳଭାଗରେ ହେଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ପରିବର୍ତ୍ତନ ଉପରେ ଏହା ଅନୁଧ୍ୟାନ ପୂର୍ବକ ବିଭିନ୍ନ ତଥ୍ୟ ପ୍ରଦାନ କରିବ। ଯାହା ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣରେ ମଧ୍ୟ ସହାୟକ ହେବ। ଏହି ଉପଗ୍ରହ ପ୍ରତି ୧୨ ଦିନରେ ପୁରା ବିଶ୍ୱକୁ ସ୍କାନ କରିବ । ନାସା- ଇସ୍ରୋ ସିନ୍ଥେଟିକ୍ ଆର୍ପେଚର ରାଡାର ପାଇଁ ବ୍ୟବହୃତ ହେଉଥିବା NISAR ଏବେ ପୃଥିବୀର ଅଦ୍ଭୂତପୂର୍ବ ଦୃଶ୍ୟ ପ୍ରଦାନ କରିବ । ନାସାର ଏଲ୍-ବ୍ୟାଣ୍ଡ ଏବଂ ଇସ୍ରୋର ଏସ୍-ବ୍ୟାଣ୍ଡ ସହ ୨,୩୯୨ କିଲୋଗ୍ରାମ ଓଜନର ଏହା ପ୍ରଥମ ଉପଗ୍ରହ ହେବ, ଯିଏ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବ । NASA ଅନୁଯାୟୀ, “ପ୍ରତ୍ୟେକ ସିଷ୍ଟମର ସିଗନାଲ୍ ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ଆକାରର ବୈଶିଷ୍ଟ୍ୟ ପ୍ରତି ସମ୍ବେଦନଶୀଳ ଏବଂ ପ୍ରତ୍ୟେକର ଆର୍ଦ୍ରତା ଏବଂ ଗତି ଭଳି ବିଭିନ୍ନ ଗୁଣ ମାପିବା ପାଇଁ ଦକ୍ଷ ।”