‘ଅପରେସନ ସିନ୍ଦୁର’କୁ ନେଇ ସଂସଦରେ ହେବ ୩୨ ଘଣ୍ଟାର ସ୍ବତନ୍ତ୍ର ଆଲୋଚନା

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୁର’କୁ ନେଇ ସଂସଦରେ ୩୨ ଘଣ୍ଟାର ହେବ ସ୍ବତନ୍ତ୍ର ଆଲୋଚନା । ଲୋକସଭାରେ ୧୬ ଓ ରାଜ୍ୟସଭାରେ ୧୬ ଘଣ୍ଟାର ହେବ ଆଲୋଚନା । ଆସନ୍ତା ସପ୍ତାହରେ ଆଲୋଚନା ହେବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ୨୮ ତାରିଖରେ ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଆଲୋଚନାରେ ଗୃହ ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ୍ ହେବେ । ୨୯ ତାରିଖରେ ରାଜ୍ୟସଭାରେ ବି ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା ଆରମ୍ଭ କରିବେ । ତେବେ ଉଭୟ ଗୃହରେ ଆଲୋଚନାରେ ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସୂଚନା ଅନୁସାରେ, ୨୨ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିରୋଧି ଭାରତ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରିବାକୁ ଦାବି କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦାବି କରିଥିଲା। ତେଣୁ ପିଏମ୍ ମୋଦି ଆଗାମୀ ସପ୍ତାହରେ ପହଲଗାମ୍ ଆତଙ୍କୀ ହମଲା ଓ ଏହା ପରେ ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୂର’ ଉପରେ କହିବେ।

୨୮ ଜୁଲାଇ, ସୋମବାର ଦିନ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହେବ। ୨୯ ଜୁଲାଇ, ମଙ୍ଗଳବାର ଦିନ ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ହେବ। ସଂସଦର ଉଭୟ ଗୃହରେ, ଅପରେସନ ସିନ୍ଦୂର ଉପରେ ମହାବିତର୍କ ପାଇଁ ପ୍ରତ୍ୟେକ ୧୬ ଘଣ୍ଟା ସମୟ ଦିଆଯାଇଛି। ବିଏସି ବୈଠକରେ, ବିରୋଧୀ ଦଳଗୁଡ଼ିକ ଯେକୌଣସି ନିୟମ ଅନୁଯାୟୀ ଅନ୍ୟ ପ୍ରସଙ୍ଗ ଉପରେ ସ୍ୱଳ୍ପ ଅବଧି ଆଲୋଚନା ପାଇଁ ଦାବି କରିଥିଲେ।