ରାତାରାତି ପୋଷ୍ଟମର୍ଟମ, ଏମ୍ସରେ ବିରୋଧିଙ୍କ ହୋହାଲ୍ଲା

ଭୁବନେଶ୍ଵର: ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ । ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ବରର ବର୍ଣ୍ଣ ୟୁନିଟ୍ ପକ୍ଷରୁ ସୂଚନା ମିଳିଛି । ତେବେ ରାତି ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ରାତିଅଧରେ ଏମ୍ସ ପରିସରରେ ଦେଖିବାକୁ ମିଳିଛି ବିରୋଧୀ ଦଳଙ୍କ ହାଇଡ୍ରାମା । ତରବରିଆ ଭାବରେ ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଏମ୍ସ । ଲୁଚାଛପା ଭାବେ ମୃତଦେହ ବାହାରକୁ ନେବା ପାଇଁ ଷଡ୍‌ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲା ବିରୋଧି । ଫଳରେ ଏମ୍ସ ପରିସରରେ ପୋଲିସ ବିରୋଧିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସରକାର ଲୁଚାଣିଆ ଭାବେ ଶବ ସଂସ୍କାର କରିବାକୁ ଷଡ୍‌ଯନ୍ତ୍ର କରୁଛନ୍ତି ବୋଲି ଆରୋପ ଲଗାଇ ପ୍ରତିବାଦ ଆରମ୍ଭ କରିଦେଇଥିଲେ ବିଜେଡିର ବହୁ ‌ଯୁବ ଓ ଛାତ୍ର ନେତା ।

ଏହା ପରେ ରାତି ପ୍ରାୟ ୧ଟା ୩୦ରେ ପୋଷ୍ଟମର୍ଟମ୍‌ ରୁମ୍‌ରୁ ପଛ ଦ୍ବାରରେ ଆମ୍ବୁଲାନ୍ସରେ ମୃତଦେହ ନିଆଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାମାନେ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ । ପୋଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଧସ୍ତାଧସ୍ତି ବେଳେ କିଛି ବିରୋଧି ନେତାଙ୍କୁ ଉଠାଇ ନେଇଛି ପୋଲି ।