କଣାସ: ବ୍ୟବହାର ଯୋଗ୍ୟ ନୁହେଁ ଦୟା ନଦୀ ପାଣି । ପୁରୀ ଜିଲ୍ଲା କଣାସରେ ପୁଣି ମୁଣ୍ଡ ଟେକିଲାଣି ଝାଡ଼ାବାନ୍ତି । ୫ ଦିନ ଭିତରେ ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ଉର୍ଦ୍ଧ୍ଵ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ । ଅନ୍ୟପଟେ କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ପାଲଟିଛି ଦୟା ନଦୀ । ଦୟା ନଦୀ ପାଣି ବ୍ୟବହାର ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେପଟେ ଜଟଣୀରେ ଡାଇରିଆ ବ୍ୟାପିଥିବା ବେଳେ ରାଣୀପୁରରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍ । ନମୂନା ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ । ସେ ପର୍ଯ୍ୟନ୍ତ ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି । ରୋଷେଇ ଓ ପିଇବାରେ ବ୍ୟବହାର ନ କରିବାକୁ ଅପିଲ୍ କରିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।
ସୂଚନାଯୋଗ୍ୟ, ଗତ କିଛି ମାସ ତଳେ କଣାସ ଅଞ୍ଚଳରେ ଡାଇରିଆ ରୋଗ ୪ ଜଣଙ୍କର ମୁଣ୍ଡ ନେଇଥିଲା । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା । ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି । ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।