ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ଥିବା ଗାଇଡ଼ ଲାଇନ ଜାରିକଲେ ଜିଲ୍ଲା ପ୍ରଶାସନ

ଯାଜପୁର-: ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ଥିବା ବେଳେ ହଇଜା ସଂକ୍ରମଣ ପୁଣି ଚିନ୍ତା ବଢ଼ାଇଛି । ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭୦୦ ଛୁଇଁଛି। ବ୍ୟାସନଗର, ବଡ଼ଚଣା ଓ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ରୋଗୀ ଚିକିତ୍ସିତ ହେଉଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅନୂପ କୁମାର ନାଥଶର୍ମା କହିଛନ୍ତି ।

ଓଡ଼ିଶା ସରକାର ବର୍ଷାକାଳୀନ ରୋଗ ଯେପରିକି ହଇଜା, ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ ଏବଂ ଡେଙ୍ଗୁକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିଛନ୍ତି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧିକାରୀମାନେ ଜଳବାହିତ ରୋଗର ବୃଦ୍ଧି ପାଉଥିବା ମାମଲା ଗୁଡ଼ିକର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ ।

ଯାଜପୁର ଜିଲ୍ଲା ପ୍ରଶାସନ, ଯାଜପୁରରେ କଲେରା ସଂକ୍ରମିତ ଚିହ୍ନଟ ଯୋଗୁଁ ସମସ୍ତଙ୍କୁ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ପରାମର୍ଶ ଦେଇଛି । ରଜପର୍ବ ପାଳନ ପାଇଁ ସାମୁହିକ ସମାବେଶ ସମୟରେ ଭୋଜି ଆୟୋଜନ ନକରିବାକୁ ପ୍ରଶାସନ ତରଫରୁ ଜରୁରୀ ପରାମର୍ଶ ଦିଆଯାଉଅଛି । ସର୍ବଦା ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବା, ଫୁଟା ଏବଂ ଫିଲ୍ଟର କରଯାଇଥିବା ବିଶୁଦ୍ଧ ପାଣି ଅଥବା ଗୋଟିଏ  ହାଲଜେନ ବଟିକା (୪ମି.ଗ୍ରା.) କୁ ୧ଲିଟର ପାଣିରେ ପକାଇ ବିଶୁଦ୍ଧ କରି ପିଇବାକୁ ପରାମର୍ଶ ଦିଆଯାଉଅଛି । ନଦୀ ନାଳ, ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଯଥା ସ୍ନାନ, ଶୌଚ ଇତ୍ୟାଦି ନକରିବାକୁ ପରାମର୍ଶ ଦିଆଯାଉଅଛି । ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବା ସଙ୍ଗେ ସଙ୍ଗେ ନିୟମିତ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଅଛି । ନିଜ ଘର ଏବଂ ପରିବେଶକୁ ମଧ୍ୟ ପରିସ୍କାର ରଖିବା ପାଇଁ ପରାମର୍ଶ ଦିଆଯାଉଅଛି । ଡାଇରିଆର ଲକ୍ଷଣ ଦେଖାଗଲେ, ଆଶା ଅଥବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସାସ୍ଥ୍ୟ କେନ୍ଦ୍ରରୁ ସାସ୍ଥ୍ୟ ସହାୟତା ନେବାକୁ ପରାମର୍ଶ ଦିଆଯାଉଅଛି ।