ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ । ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ । ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ ଅଧ୍ୟାପକଙ୍କ ଉପସ୍ଥିତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)। ଏହି ନିୟମ ମେ ୧ ତାରିଖରୁ ମେଡିକାଲ କଲେଜରେ ଲାଗୁ ହେବ । ଏନେଇ ଏନ୍‌ଏମ୍‌ସି ଏହା ଅଧୀନରେ ଥିବା ସବୁ ମେଡିକାଲ୍‌ କଲେଜ ବା ଅନୁଷ୍ଠାନକୁ ନୋଟିସ୍‌ ଦେଇଛି । କଲେଜର ବିଭିନ୍ନ ସ୍ଥାନରେ ଜିପିଏସ୍‌ ଲୋକେସନ୍‌କୁ ଏନ୍‌ଏମ୍‌ସିକୁ ଜଣାଇ ଦିଆଯିବ । ଜିପିଏସ୍‌ ଲୋକେସନ୍‌ର ୧୦୦ ମିଟର ପରିଧି ମଧ୍ୟରେ ଉପସ୍ଥାନ ଦେଇହେବ । ଯେଉଁଠାରେ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଉପସ୍ଥାନ ଦେବା ସହଜ ହେବ ସେହି ସ୍ଥାନକୁ ଏନ୍‌ଏମ୍‌ସିକୁ ଜଣାଇବାକୁ ପଡିବ । କଲେଜର ସମସ୍ତ ଅଧ୍ୟାପକ ‘ଫେସ୍‌ ବେସ୍‌ଡ ଆଧାର ଅଥେଣ୍ଟିକେସନ୍‌’ ଆପ୍‌କୁ ନିଜ ନିଜ ମୋବାଇଲ୍‌ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରିବେ । ଏହି ଆପ୍‌ ଏପ୍ରିଲ ୨୪ ତାରିଖଠାରୁ ସକ୍ରିୟ ହେବ ।