ରାଉରକେଲା : ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ନେଇ ଆଜି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ l ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଶାନ୍ତ କହିଥିଲେ ଯେଉଁ ବିଦ୍ୟାଳୟ ଗୁଡିକ ରୂପାନ୍ତରଣ ପ୍ରକ୍ରିୟାରୁ ବଞ୍ଚିତ ରହିଛି ତୁରନ୍ତ ଏଗୁଡିକୁ ରୂପାନ୍ତରଣ କରା ଯିବା ନିହାତି ଆବଶ୍ୟକ ରହିଛି l ଶିକ୍ଷା ଦାନର ମାନବୃଦ୍ଧି ସହ ଉନ୍ନତ ପରିବେଶ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାନ୍ତ ଜିଲ୍ଲା ଶିକ୍ଷା ଧିକାରୀଙ୍କ ସହ ଆଲୋଚନା କାଳରେ ଆଗ୍ରହ ବ୍ୟକ୍ତ କରିଥିଲେ l ଏହା ବ୍ୟତୀତ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଆଦିବାସୀ ବହୁଳ ସାତ ଗୋଟି ପଂଚାୟତ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସେ ନିବେଦନ କରିଛନ୍ତି l ଏସବୁ ଅଂଚଳରେ ରହିଥିବା ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଶାନ୍ତ ଦାବି ଜଣାଇଛନ୍ତି l ବିଦ୍ୟାଳୟ ଗୁଡିକର ବିଦ୍ୟୁତ କରଣ ସାଙ୍ଗକୁ ଶୌଚାଳୟ ଏବଂ ପାନୀୟ ବ୍ୟବସ୍ଥା ସଠିକ କାର୍ଯ୍ୟକାରୀ କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି l ଏହା ବ୍ୟତୀତ ଦୂରଦୂରାନ୍ତ ଏବଂ ଜିଲ୍ଲା ବାହାରୁ ଏହି ଅଂଚଳକୁ ବଦଳି ହୋଇ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଯଥା ସମ୍ଭବ ବାସଗୃହ ନିର୍ମାଣ କରାଯିବା ଉପରେ ପ୍ରଶାନ୍ତ ଗୁରୁତ୍ୱାରୋପ କରିଛନ୍ତି l