ଜଗନ୍ନାଥଖୁଣ୍ଟା ହାଇସ୍କୁଲ ନିକଟରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା କଳାବାଡିଆ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ନିକଟରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାର ବୟସ ୧୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ କିଛି ଦୋକାନୀ ନାବାଳିକାକୁ ଉଦ୍ଧାର କରି ପୁଲିସକୁ ଜିମା ଦେଇ ମହାନତା କାର୍ଯ୍ୟ କରିଛନ୍ତି। ନାବାଳିକା ଜଣକ ହିନ୍ଦୀ ଓ ସାନ୍ତାଳୀ ଭାଷାରେ କଥାବାର୍ତ୍ତା କରୁଛି। ସେ ତା ଗାଁ ଠିକଣା ବିଷୟରେ ସମ୍ପୂର୍ଣ କଥା କହି ପାରୁନଥିବା ବେଳେ ଡିଭିଡି ଗ୍ରାମରୁ ଆସିଥିବା ଏବଂ ଝିଅଟିର ବାପା କାଇରା ହେମ୍ବ୍ରମ ର ମୃତ୍ୟୁ ପରେ ମା ରାସୁଇ ହେମ୍ବ୍ରମ ଦୁଇ ଝିଅକୁ ଛାଡ଼ି ଦେଇ ଅନ୍ୟ ଜଣେ ଯୁବକ ସହିତ ପଳାଇ ଥିବା କହିଛି। ଏଥିସହିତ ନାବାଳିକା ଜଣକ ପଡୋଶୀ ଭାଇ ଭାଉଜ ପାଖରେ ରହୁଥିବା ବେଳେ ଦୁଇ ଭଉଣୀ ମଧ୍ୟରୁ ସାନ ଭଉଣୀ (୧୧) କେଉଁ ଆଡେ ପଳାଇବାରୁ ତାକୁ ଖୋଜି ଆଣିବା ପାଇଁ କେଉଁ ଆଡେ ଭାଉଜ ତାଗିଦ୍ କରିଥିଲେ। ଭଉଣୀ କୁ ଖୋଜି ଖୋଜି ସାତଦିନ ହେଲା ଚାଲି ଯାଉଥିବା ବେଳେ  ଜଗନ୍ନାଥଖୁଣ୍ଟାର ସ୍ଥାନୀୟ ଦୋକାନୀ ମାନେ ନାବାଳିକାକୁ ଉଦ୍ଧାର କରି ବାଙ୍ଗିରିପୋଷି ପୁଲିସକୁ ଜିମା ଦେଇଛନ୍ତି। ଝିଅଟିର ନାମ ରାନି ହେମ୍ବ୍ରମ ବୋଲି ନିଜେ କହିଛି। ତେବେ ବର୍ତ୍ତମାନ ସୁଦ୍ଧା ଡିଭିଡି ସାହି ଓ ତାଙ୍କ ଗାଁ , ଥାନା ବିଷୟରେ କିଛି ଜଣା ପଡ଼ିନାହିଁ। ଯଦି କେହି ସହୃଦୟ ବ୍ୟକ୍ତି ଉକ୍ତ ନାବାଳିକାକୁ ଚିହ୍ନି ପାରନ୍ତି ଏବଂ ତାହାର ପରିଚୟ ପାଆନ୍ତି ତେବେ ନିକଟସ୍ଥ ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନା ରେ ମଧ୍ୟ ଜଣେଇଲେ ନାବାଳିକା ଜଣକୁ ତାଙ୍କ ଘରକୁ ପଠେଇ ହେବ।