ଏବେ ଓଲିଉଡ଼ ଶସ୍ତା !

କଥା କଥାକେ ଚାଲିଛି ଆମ ପାଖରେ ବଜେଟ ନାହିଁ

ବ୍ୟୁରୋ : ଏଭଳି ଏକ ଟାଇଟେଲ ଦେବା ପୂର୍ବରୁ ବହୁତ ଭାବିଛି l ଭାବିଲି ଏମିତି ଲେଖିବିନି ତ କେମିତି ଲେଖିବି l କାହିଁକି ନା ପକେଟରେ କେତେ ଟଙ୍କା ଅଛି ଆମେ ଯଦି କାହାକୁ କହିଦେବା ତେବେ ଆମେ ନିଶ୍ଚିତ ଭାବେ ଶସ୍ତା ହୋଇଯିବା l ଆମକୁ ସମସ୍ତେ ଉପଦେଶ ଦେବା ଆରମ୍ଭ କରିବେ l ଏଭଳି କରି ସେଭଳି କର l ଆଉ ଆଜି ଠିକ ଏହିଭଳି ଘଟିଛି l ଗରିବ ମାଇପ ସମସ୍ତଙ୍କ ଶାଳୀ ଏହି ଢଗ କାହାକୁ ଅଛପା ନୁହେଁ l ଓଲିଉଡ଼ର ସ୍ଥିତି ଠିକ ଏହିଭଳି ଆଜି କିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l

ଗତ କିଛି ଦିନ ହେବ ଓଲିଉଡ଼ର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ି ଲାଣି l କାହିଁକି ଏଭଳି ହେଉଛି l ଏବେ ଓଡ଼ିଶାରେ ଆଉ କିଏ ଅଭିନୟ କରିବାକୁ ସ୍ବପ୍ନ ଦେଖିବ ନାହିଁ ଯେଭଳି l କାହିଁକି ନା ଯେତେବେଳେ ବଡ଼ ବଡ଼ କଳାକାର ସାମ୍ନାକୁ ଆସି କହୁଛନ୍ତି କି ଆମର ଏଠି ଅଭିନୟ କଲେ ପଇସା ନାହିଁ ସେଠି କିଭଳି ଭାବେ ହାତ ଧରି ଠିଆ ହେଉଥିବା କଳାକାର ଆସି ଅଭିନୟ କରିବାକୁ ସ୍ବପ୍ନ ଦେଖିବେ l ଦୁଇ ଜଣଙ୍କ ମଝିରେ ତୃତୀୟ ଲୋକ ଫାଇଦା ନେବା ଭଳି ଏହି ଘଟଣା ଘଟୁଛି l ଯେଉଁମାନେ ଅଭିନୟର ‘ଅ’ ଅକ୍ଷର ଜାଣୁନାହାନ୍ତି ସେମାନେ ଆସି ମନ୍ତବ୍ୟ ଦେଇ ରାତାରାତି ଲୋକମାନଙ୍କ ପାଖରେ ନିଜକୁ ଅଭିନେତାର ଟ୍ୟାଗ ପିନ୍ଧଉଛନ୍ତି l

ଆଜି ଓଲିଉଡ଼ରେ କଣ ଘଟୁଛି ସମସ୍ତେ ଜାଣିଛନ୍ତି l ଏହାର ମୂଳ କାରଣ ହେଉଛି ଆମର କଥା କଥାକେ ଚାଲିଛି ଆମ ପାଖରେ ବଜେଟ ନାହିଁ l ମୋର ବ୍ୟକ୍ତିଗତ ମତ ଯଦି ପାଖରେ ବଜେଟ ନାହିଁ ଫିଲ୍ମ ବନାଉଛ କାହିଁକି ଆଉ ପରେ ଆସିକି କାନ୍ଦୁଛ ବଜେଟ ନାହିଁ l ନିଜ କାମ ଉପରେ ଭରସା ନ ଥିଲେ ଠିକ ଏହିଭଳି ହୋଇଥାଏ l ନିଜ ମନରେ କିଛି ନା କିଛି ଦ୍ୱନ୍ଦ ରଖିକି ଆପଣମାନେ ଫିଲ୍ମ ପ୍ରମୋସନକୁ ଓଲ୍ହାଉନାହାନ୍ତି l ଲୋକମାନେ ଜାଣିପାରୁନାହାନ୍ତି କେଉଁ ଫିଲ୍ମ କେବେ ଆସୁଛି l ଯଦି ବାହାର ଇଣ୍ଡଷ୍ଟ୍ରି ଆସି ସେଇ ଘରୁ ସେଇ ଦର୍ଶକଙ୍କୁ ଠୁଳ କରି ଲାଭ ନେଉଛି ତେବେ ଆମର କାହିଁକି ନୁହେଁ l ଆମେ ଆମ ଭୁଲ ଧରିବାକୁ ପ୍ରସ୍ତୁତ ନୁହନ୍ତି l ଏବେ ଯେମିତି ଓଲିଉଡ଼ ମୁରବୀ ହୀନ ହୋଇଯାଇଛି l ପାଞ୍ଚ ଲୋକ ପଚାଶ କଥା କହୁଛନ୍ତି l

ପ୍ରଯୋଜକମାନଙ୍କ କଥା ରହିଲା l ଯଦି ଫିଲ୍ମ କରିବାକୁ ସଉକ ଅଛି ତେବେ ଫିଲ୍ମ କରନ୍ତୁ l ଏମିତି ଭାଣ୍ଡାମୀ କରି ନିଜର ପ୍ରମୋସନ କରନ୍ତୁନି l ଆପଣମାନେ ଫିଲ୍ମ କରିବାକୁ ଆସି କ୍ଷତି କ୍ଷତି ବାରମ୍ବାର କହିଲେ କଣ ଲୋକେ ଫିଲ୍ମ ଦେଖିବାକୁ ହଲକୁ ଆସିଯିବେ l ଫିଲ୍ମର ପ୍ରମୋସନ କରନ୍ତୁ l କେବଳ ଫିଲ୍ମ ଆରମ୍ଭ ଦିନରୁ ଏଠି କଥା ଚାଲୁଛି ଆମ ପାଖରେ କମ ବଜେଟ ରହୁଛି l ଗୋଟେ ଫିଲ୍ମ କରିବାକୁ ବଜେଟ ନୁହେଁ କଣ୍ଟେଣ୍ଟ ଆବଶ୍ୟକ ମୋ ମତରେ l

ଅଭିନେତା ଅଭିନେତ୍ରୀମାନେ ନିଜ କଳିକୁ ନେଇ ବ୍ୟସ୍ତ l କେହି କେବେ ଫିଲ୍ମରେ ଭଲ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାକୁ ପ୍ରସ୍ତୁତ ନୁଁହନ୍ତି l କେବେଳ ଗୋଟେ ଫିଲ୍ମ କରିବୁ ସୋସିଆଲ ମିଡିଆରେ ପ୍ରଚାର କରିବୁ ଆମେ ହିରୋ ହୋଇଗଲୁ ତା ଛଡ଼ା ଆଉ କିଛି ନୁହେଁ l ଫିଲ୍ମ ପ୍ରମୋସନ କରିବାକୁ ଲୋକଙ୍କ ସହ ମିଶିବାକୁ ପଡେ l ମାତ୍ର ଆପଣମାନେ ଘରେ ସୋଇ ଫିଲ୍ମ ପ୍ରମୋସନ କରିବାର ସ୍ବପ୍ନ ଦେଖୁଛନ୍ତି l କେତେଦିନ ଏଭଳି ଚାଲିଥିବ l ନିକଟରେ କେତେକ ଭଲ ଫିଲ୍ମ ଆସିଛି ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହୁ ଆଶାକରେ l ଯଦି ଲୋକେ ଯାତ୍ରା ଦେଖିବାକୁ ଯାଉଛନ୍ତି ତେବେ ଫିଲ୍ମ କାହିଁକି ନୁହେଁ l

ଶେଷରେ ମୋର ବ୍ୟକ୍ତିଗତ ମତ ରହିବ ଯଦି ଫିଲ୍ମ କରୁଛନ୍ତି ତେବେ କରନ୍ତୁ l ନାହିଁକି ଏଠି ଆସି ଆମ ପାଖରେ ବଜେଟ ନାହିଁ l ଆମ ପାଖରେ ହଲ ନାହିଁ, କିମ୍ବା ଆମ ଫିଲ୍ମରୁ ରିଟର୍ଣ୍ଣ ଆସୁନାହିଁ l ସେଟା ଆପଣମାନଙ୍କ ବ୍ୟକ୍ତିଗତ କଥା ନିଜ ଭିତରେ ଆଲୋଚନା କରନ୍ତୁ l ଏ କଥା ବାହାରକୁ ଆସିବା ଦ୍ୱାରା ଓଲିଉଡ଼ ଆଜି ଦର୍ଶକଙ୍କ ପାଖରେ ଶସ୍ତା ହୋଇଯାଉଛି l ଭେକ ଥିଲେ ଭିକ ମିଳେ ଭଳି ପରିସ୍ଥିତି ଉପୁଜିଛି l ଏଣୁ ଏଭଳି କରିବା ବନ୍ଦ କରନ୍ତୁ l ଦେଖିବେ ଧିରେ ଧିରେ ସବୁ ବନ୍ଦ ହୋଇଯିବ l ନିଜ ଭିତରେ ମାଡ଼ ଗୋଳ ଲାଗି ଏଭଳି କଲେ ଫିଲ୍ମ ଚାଲିବା ବଦଳରେ ଇଣ୍ଡଷ୍ଟ୍ରି ବୁଡି ଯିବ l ବେଳ ଥାଉ ଥାଉ ସାବଧାନ l

ଆପଣଙ୍କ କଥାକାର
ଗୁରୁପଦ ନାଥ