ପ୍ରେମ ଅସୀମିତ ସମ୍ପର୍କର ନାଁ । ପ୍ରେମ ଦେଖେନା ବୟସର ସୀମା । ପ୍ରେମ ଦଖେନା ଜାତି, ଧର୍ମ କି ଦାରିଦ୍ର୍ୟତା । ଯଦି ଦେଖେ କେବଳ ଦୁଇ ପ୍ରାଣ, ଦୁଇ ଆତ୍ମା, ଦୁଇ ମନର ମିଳନ । କି ଜାତି, କି ଗୋରା କଳାର ଭେଦଭାବ, କି ଧନୀ କି ଗରିବ ସବୁ ଯେମିତି ଏ ପ୍ରେମ ଆଗରେ ତୁଚ୍ଛ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଦ୍ମାବତୀ ଏବଂ ଦାସ ମାରାଣ୍ଡି । ପଦ୍ମାବତୀଙ୍କ ବୟସ ୬୫ ଏବଂ ଦାସଙ୍କ ବୟସ ୬୩ । ପରିଣତ ବୟସରେ ପାଦ ଥାପି ସାରିଲେଣି ଦୁହେଁ । କିନ୍ତୁ ତାଙ୍କ ଭଲ ପାଇବା ଆଗରେ ହାର ମାନି ଯାଇଛି ବାର୍ଦ୍ଧକ୍ୟତା । ଆଉ ବୟସର ଅପରାହ୍ନରେ ସାତ ଜନ୍ମର ସାଥୀ ସାଜିଛନ୍ତି ଉଭୟ ।
ମଥାରେ ଚନ୍ଦନ, କୁଙ୍କୁମ ଆଉ ପାଦରେ ଅଳତା ଲଗାଇ ଝଟକୁଛନ୍ତି ନୂଆ କନିଆ । ଆଉ ବର ବି କିଛି କମ ଦିଶୁ ନାହାନ୍ତି, ନୂଆ ଧୋତି ଜାମା ସହ ମୁକୁଟ ପିନ୍ଧି ବର ବି ବେଶ ଖୁସି । ଏହାରି ଭିତରେ ବ୍ରାହ୍ମଣଙ୍କ ମନ୍ତ୍ରପାଠ, ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ପୁରା ଆଶ୍ରମ । ଦୁହେଁ ବି ଜଗନ୍ନାଥଙ୍କୁ ସାଖି କରି ସଂକଳ୍ପ ନେଇଛନ୍ତି ସାତ ଜନ୍ମ ପାଇଁ ସାଥୀ ହେବା ପାଇଁ ।
ଦୁହେଁ ଦୂରାରୋଗ୍ୟରେ ପୀଡିତ ହେବା ପରେ କିଏ ପରିବାର ଠାରୁ ତ କିଏ ପୁଅ ବୋହୂଙ୍କ ଠାରୁ ବିଦା ହୋଇଁ ଅସାହାୟ ପ୍ରାୟ ହୋଇଯାଇଥିଲେ । ଏଣୁ ବାଲେଶ୍ୱର କୁଷ୍ଠାଶ୍ରମରେ ରହୁଥିଲେ ଦୁହେଁ । ୧୦ ବର୍ଷ ଧରି ଔପଦା ବ୍ଲକର ପଦ୍ମାବତୀ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ କୃଷ୍ଠାଶ୍ରମରେ ଚିକିତ୍ସ ହେଉଥିଲେ । ଏହା ପରେ ଚିକିତ୍ସିତ ହେଉଥିଲେ ବାଲେଶ୍ୱର ସଦର ବ୍ଲକ ସର୍ଥା ଗାଁର ଦାସ ମାରାଣ୍ଡି । ସେଉଠୁ ତାଙ୍କ ଦେଖା, ପରସ୍ପର ସହ କଥା ବାର୍ତ୍ତା ପରେ ନିଷ୍ପତି ନେଇଥିଲେ, ସାଥୀ ହୋଇ ରହିବା ପାଇଁ । ଏଣୁ ରୋଗରୁ ମୁକ୍ତ ହେବା ପରେ ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିଛନ୍ତି ଦୁହେଁ ।
କୁଷ୍ଠାଶ୍ରମର ଜଗନ୍ନାଥ ମନ୍ଦିର ପରିସରରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ଉତ୍ସବରେ ଆଶ୍ରମର ସମସ୍ତ ଅନ୍ତେବାସୀ ସହଯୋଗ କରିଥିଲେ । କିଏ ଶଙ୍ଖ ଫୁଙ୍କି ଥିଲା ତ କିଏ ହୁଳହୁଳି ଦେଇଥିଲା । ଉଭୟ ଉଭୟଙ୍କୁ ଜଗନ୍ନାଥଙ୍କ ନିକଟରେ ବିବାହ କରିଥିଲେ । ଦାସ ପଦ୍ମାବତୀଙ୍କୁ ମଥାରେ ସିନ୍ଦୂର ହାତରେ ଶଙ୍ଖା, ବେକରେ ବରଣ ମାଳା ଦେଇ ନିଜର ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି । ବିବାହ ସମାରୋହରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଏଡିଏମ୍ଓ ସାମିଲ ହୋଇଥଇଲେ ।