ଫେରିଯିବ ମୌସୁମୀ, ଆଗକୁ ବଢିବ ତାତି

ଭୁବନେଶ୍ୱର : ଫେରିଯାଇଛି ମୌସୁମୀ ସେଥିପାଇଁ ରାଜ୍ୟରେ ବଢିବ ତାତି । ଓଡିଶାରୁ ଆରମ୍ଭ ହୋଇଛି ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ର୍ରିୟା । ଆଜି ପଶ୍ଚିମ ଓଡିଶାର କିଛି ଅଞ୍ଚଳରୁ ବିଦାୟ ନେଇଛି ମୌସୁମୀ ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରୁ ଅପସାରଣ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୂକୁଲ ରହିଛି । ଆଜି ପଶ୍ଚିମ ଓଡ଼ିଶାରେ କିଛି ଅଞ୍ଚଳରେ ଦେଖିବାକୁ ମିଳିଛି କୁହୁଡିର ଆସ୍ତରଣ । ଉପକୂଳ ଓଡିଶାରେ ଅସ୍ତବ୍ୟସ୍ତ କରୁଛି ତାତି । ସ୍ୱାଭାବିକ ଠାରୁ ୧ରୁ ୨ଡିଗ୍ରୀ ବଢିବ ତାତି । ସାଧାରଣଶ ବର୍ଷା ଋତୁ ପରେ ଶୀତ ଋତୁ ଆସେ ।

କିନ୍ତୁ ପାଣିପାଗର ଅସ୍ବଭାବିକ ପରିବର୍ତ୍ତନ ଯୋଗୁଁ ଋତୁଚକ୍ରରେ ବିଲକ୍ଷଣ ଦେଖାଦେଇଛି। ଶୀତ ଋତୁ ଆସିବା ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।  ରବିବାର ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ପାର୍ବଣ ପୂର୍ବରୁ ପ୍ରଖର ଖରାରେ ଜନ ଜବୀନ ଅସ୍ତବ୍ୟସ୍ତ ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛାଡ଼ିବାକୁ ଥିବାରୁ ରାଜ୍ୟରେ ବର୍ଷାର ପ୍ରକୋପ କମିଛି। ଆକାଶ ବର୍ତ୍ତମାନ ନିର୍ମଳ ରହୁଥିବାରୁ ସୂର୍ଯ୍ୟକିରଣ ସିଧା ପୃଥିବୀ ଉପରେ ପଡ଼ୁଛି। ଯାହାଦ୍ୱାରା ରାଜ୍ୟରେ ଖରା ଅନୁଭୂତ ହେଉଛି। ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରି ନ ଥିବାରୁ ଖରା ଯୋଗୁଁ ଗରମ ଜାରିରହିଛି।

ରବିବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବାକୁ ଥିବା ବେଳେ ଖରାର ପ୍ରକୋପ ଅଧିକ ରହିବ। ଏହା ପରେ ଅର୍ଥାତ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି।