ମଣିପୁରରେ ଜାରି ରହିଥିବା ହିଂସାକୁ ଦୃଷ୍ଟରେ ରଖି ବନ୍ଦ ହୋଇଛି ଇଣ୍ଟର ନେଟ ସେବା

ମଣିପୁର: ମଣିପୁରରେ ଜାରି ରହିଛି ହିଂସା । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁନର୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଓ ସାଧାରଣ ଇଣ୍ଟରନେଟ / ଡାଟା ସେବାକୁ ବନ୍ଦ କରାଯାଇଛି । ତେବେ ଗତ ୨୩ ତାରିଖରେ ରାଜ୍ୟରେ ଇଣ୍ଟରନେଟ ସେବାକୁ ସ୍ୱାଭାବିକ କରାଯାଇଥିବାବେଳେ ପୁଣିଥରେ ଏହାକୁ ବନ୍ଦ କରାଯାଇଛି । ଏହା ସହିତ ରାଜ୍ୟର ସମସ୍ତ ସ୍କୁଲ ଗୁଡିକକୁ ମଧ୍ୟ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ମଙ୍ଗଳବାର ଇମ୍ଫାଲରେ ଦୁଇଜଣ ଯୁବକଙ୍କ ହତ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ପୁଲିସର ଲାଠି ମାଡରେ ୪୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅନେକ ଛାତ୍ରୀ ରହିଛନ୍ତି। ଗତ ମେ ମାସରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ହିଂସାକୁ ନେଇ ଗତ ଜୁଲାଇରେ ଦୁଇଜଣ ଛାତ୍ରଙ୍କୁ ଅପହରଣ କରାଯାଇଥିଲା। ଅପହୃତ ଦୁଇ ଛାତ୍ରଙ୍କୁ ମଙ୍ଗଳବାର ହତ୍ୟା କରାଯିବା ପରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।