ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ଜନୈକ ଯୁବକଙ୍କ ମଙ୍ଗଳବାର ରାତିରେ ଚିତି ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଵାଉତିବେଡା ଗ୍ରାମର ମଦନ ମୁର୍ମୁଙ୍କ ୨୨ ବର୍ଷୀୟ ପୁଅ ବିଜୟ ମୁର୍ମୁ ମଙ୍ଗଳବାର ରାତିରେ ସବୁଦିନ ଭଳି ପରିବାର ସହିତ ଖାଇ ପିଇ ଶୋଇବାକୁ ଯାଇଥିଲେ । ଭୋରୁ ପରିବାର ଲୋକେ ଉଠି ବିଜୟକୁ ଡାକନ୍ତି ତ ସେ ନିସ୍ତେଜ ହୋଇ ପଡ଼ିଥିଲେ ।ପରେ ଘର ଲୋକେ ଘରେ ଏକ ଚିତି ସାପ ଦେଖିବାକୁ ପାଇଥିଲେ ।ଘର ଲୋକେ ଚିତି ସାପକୁ ଧରି ରଖିବା ସହିତ ବିଜୟକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ ।ପରିବାର ଲୋକଙ୍କ କହିବା ଅନୁଯାୟୀ ବିଜୟର ନିଃଶ୍ବାସ ପ୍ରଶ୍ବାସ ଚାଲିଥିଲା । ଡାକ୍ତର ରୋଗୀ ଗହଳି ଯୋଗୁଁ ବିଳମ୍ବରେ ଦେଖିଥିଲେ ।ପରେ ଦେଖି ତାଙ୍କୁ ସାଲାଇନ ଦେଇଥିଲେ ଏବଂ ରେଫର ପାଇଁ ଲେଖିଥିଲେ । ରୋଗୀ ସମ୍ପର୍କୀୟ କହିଥିଲେ ୧୦୮ ବିଳମ୍ବ ଯୋଗୁଁ ଆମେ ରୋଗୀକୁ ବେସରକାରୀ ଗାଡ଼ିରେ ବାରିପଦା ନେଇଯିବୁ ।ଡାକ୍ତର କହିଲେ ସରକାରୀ ଗାଡିରେ ଯିବ ଯଦି ରେଫର ହେବ ନ ହେଲେ ରେଫର କାଗଜ ଫେରାଇ ରୋଗୀକୁ ନେଇଯିବ ।ଏହାରି ଭିତରେ କିଛି ସମୟ ପରେ ବିଜୟର ପ୍ରାଣବାୟୁ ଉଡି ଯାଇଥିଲା ।ଡାକ୍ତର ବିଳମ୍ବ ଚିକିତ୍ସା ଯୋଗୁଁ ଜୀବନ ଯାଇଥିବା ପରିବାର ଅଭିଯୋଗ କରିଛନ୍ନ୍ତି। ସେମାନେ କହିଥିଲେ ଅନ୍ୟ ରୋଗୀମାନେ ଯେମିତି ଆଗକୁ ମୃତ ବିଜୟ ଭଳି ଡାକ୍ତରଙ୍କ ଅବହେଳାର ଶିକାର ନ ହୁଅନ୍ତୁ ଵୋଲି ଦୁଃଖର ସହ କହିଥିଲେ ।