ଭାରତର ନାଗରିକତା ପାଇବା ପାଇଁ ରାଷ୍ଟ୍ରପତୀଙ୍କୁ ଗୁହାରୀ କଲେ ସୀମା ହାଇଦର

ରିପୋଟର୍ସ ଟୁଡେ ବ୍ୟୁରୋ:   ପ୍ରେମ ପାଇଁ ବେଆଇନ୍ ଭାବେ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଭାରତରେ ରହିବାକୁ ଚାହୁଁଛନ୍ତି । ନିଜ ପ୍ରେମିକ ତଥା ସ୍ୱାମୀ ସଚ୍ଚିନ ମୀଣାଙ୍କ ସହ ସେ ଭାରତରେ ରହିବାକୁ ଚାହୁଁଥିବା କୁହାଯାଉଥିବା ବେଳେ କିଛି ଲୋକ ତାଙ୍କୁ ପୁଣିଥରେ ପାକିସ୍ତାନ ପଠାଇ ଦେବାକୁ ଦାବି କରୁଛନ୍ତି । ଆଉ ଏତିକି ବେଳେ ଭାରତର ନାଗରିକତା ପାଇବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି ଏହି ପାକିସ୍ତାନୀ ମହିଳା ।

ନିଜ ଚାରି ଛୁଆଙ୍କ ସହ ସୀମାଙ୍କୁ ଭାରତର ନାଗରିକତା ପ୍ରଦାନ କରିବାକୁ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଭାରତର ସଂସ୍କୃତି ଏବଂ ସଭ୍ୟତା ଦ୍ୱାରା ପ୍ରଭାବିତ ହୋଇଥିବା କହିଛନ୍ତି । ଏହାସହ ସେ ନିଜର ଧର୍ମ ପରିବର୍ତ୍ତନ କରି କରି ମୁସଲିମରୁ ହିନ୍ଦୁ ହୋଇସାରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ମାନବିକତା ଆଧାରରେ ତାଙ୍କୁ କ୍ଷମା କରିଦେବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୀମା ହାଇଦରଙ୍କୁ ନେଇ ବଢୁଥିବା ଚର୍ଚ୍ଚା ଭିତରେ ୟୁପି ଏଟିଏସ ତାଙ୍କୁ ପାକିସ୍ତାନ ପଠାଇବାକୁ ଯୋଜନା କରୁଥିବା ଜଣାପଡିଛି । ଖୁବଶୀଘ୍ର ସୀମାଙ୍କୁ ପାକିସ୍ତାନ ପଠାଯାଇପାରେ ବୋଲି ଖବର ମିଳୁଛି । ହେଲେ ଏହାରି ଭିତରେ ଶୁକ୍ରବାର ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେଇ ସୀମା ପାକିସ୍ତାନ ଯିବାକୁ ଇଚ୍ଛୁକ ନଥିବା କହିଛନ୍ତି । ଭାରତରୁ ଏବେ କେବଳ ତାଙ୍କ ମଲା ଶରୀର ହିଁ ଫେରିବ ବୋଲି ସୀମା କହିଛନ୍ତି ।

ଗ୍ରେଟର ନୋଏଡାର ସଚିନ ମୀଣାଙ୍କ ପାଖକୁ ପାକିସ୍ତାନରୁ ଆସିଥିବା ସୀମାଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରାଯାଇଥିଲା । ଏହାପରେ ଜୁଲାଇ ୭ ତାରିଖରେ ତାଙ୍କୁ ଜାମିନ୍ ମିଳିଥିଲା । ଜାମିନ୍ ମିଳିବା ପରେ ଏବେ ସୀମା ସଚ୍ଚିନଙ୍କ ସହିତ ତାଙ୍କ ଗାଁରେ ରହୁଛନ୍ତି । ହେଲେ ଏଟିଏସ୍ କିନ୍ତୁ ତାଙ୍କୁ ପୁଣିଥରେ ପାକିସ୍ତାନ ପଠାଇବାକୁ ଯୋଜନା କରୁଥିବା ଜଣାପଡିଛି ।