ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବାଗିଭାଲୁ ଗାଁର ଜଣେ ଯୁବକ ନିଜ ଜମି ନିକଟରେ ଏକ ଅସୁସ୍ଥ କଲରାପତ୍ରିଆ ବାଘକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ଏହି ଅସୁସ୍ଥ ବାଘଟିକୁ ଚିକିତ୍ସା ପାଇଁ ନିଜ ବାଇକରେ ନେଇ ପ୍ରାଣୀ ଚିକିତ୍ସାଳୟକୁ ପହଞ୍ଚିଥିଲେ। ବାଟରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ୟ୍ୟ ହେବା ସହ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ । ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୫ ବର୍ଷୀୟ ବେଣୁଗୋପାଳ ଓରଫ ମୁଥୁ ସକାଳେ ନିଜ ମୋଟର ସାଇକେଲରେ ନିଜ ଚାଷଜମି ଆଡ଼କୁ ଯାଉଥିଲେ। ଏହି ସମୟରେ ସେ ଜମିର ଏକ କୋଣରେ ଏକ କଲରାପତ୍ରିଆ ବାଘପଡ଼ିଥିବା ଦେଖିଥିଲେ। ବାଘଟି ଅସୁସ୍ଥ ଥିଲା ଓ ଚାଲିବାକୁ ଅକ୍ଷମ ଥିଲା । ଏହା ଦେଖି ବେଣୁଗୋପାଳ ବାଘକୁ ଧରି ନିଜ ମୋଟର ସାଇକେଲର ପଛ ସିଟରେ ଏକ ଦଉଡ଼ି ସହାଯ୍ୟରେ ବାନ୍ଧି ଦେଇଥିଲେ ଓ ପ୍ରାଣୀ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲେ। ପରେ ବନବିଭାଗ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ପାଇ ବାଘଟିକୁ ଧରି ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରାଇଥିଲେ । ବାଘର ଅବସ୍ଥା ସ୍ଥିର ଥିବା ବିଭାଗ ପକ୍ଷରୁ କୁହାଯାଇଛି । ବାଘଟି ଶିକାର ସନ୍ଧାନରେ ଆସି ଗ୍ରାମ ନିକଟରେ ଫସି ଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।