ସୁନା ଭଳି ଦୁର୍ଲଭ ହେଉଛି ଟମାଟୋ

କାଳ ହେଲା ଟମାଟୋ ଚାଷ । ସୁନା ଠାରୁ ଦୁର୍ଲଭ ହେଉଛି ଟମାଟୋ ଦର । ଦେଶରେ ପ୍ରଥମ ଥର ପାଇଁ ହୋଇଛି ଏଭଳି ଉତ୍କଟ ପରିସ୍ଥିତି । ଯଦି ବାଡି କିମ୍ବା ବିଲରେ ଟମାଟୋ ଚାଷ କରୁଥାନ୍ତି ତେବେ ସାବଧାନ ରୁହନ୍ତୁ, କାରଣ ଏବେ ମାତିଛନ୍ତି ଟମାଟୋ ଚୋର । ଆଶ୍ଚର୍ଯ୍ୟ କରିଦେବା ଭଳି ଦୁଇଟି ଘଟଣା ଆଜି ସାମ୍ନାକୁ ଆସିଛି । କାନ ଉଠିଲା ଦିନୁ କେବେ ଶୁଣି ନଥିବା କଥା ଏବେ ଶୁଣିବାକୁ ମିଳୁଛି ।

କର୍ଣ୍ଣାଟକର ଜଣେ ମହିଳା ଚାଷୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ବିଲରୁ ଅଢ଼େଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଛି । ପାଖାପାଖି ୫୦ ରୁ ୬୦ଟି ବ୍ୟାଗ ଟମାଟୋ ବଜାରକୁ ବିକିବା ପାଇଁ ଯୋଜନା କରିଥିବା ଏହି ମହିଳା ଜଣକ ଏବେ ହତାସ ହୋଇ ପଡିଛନ୍ତି । କାରଣ ଚୋରଟି ତାଙ୍କ ବିଲରୁ ସମସ୍ତ ଟମାଟୋ ଚୋରି କରି ଚମ୍ପଟ ମାରିଥିଲା । ତେଲେଙ୍ଗାନାରୁ ମଧ୍ୟ ଆଉ ଗୋଟିଏ ଘଟଣା ସମ୍ନାକୁ ଆସିଛି । ନିଜ କ୍ଷେତରେ ଲଗାଇଥିବା ଟମାଟୋର ସୁରକ୍ଷା ପାଇଁ ଲଗାଯାଇଛି ସିସିଟିଭି କ୍ୟମେରା । ସୁନା ଠାରୁ ବି ଅଧିକ ଦ୍ରୁତ ଗତିରେ ବଢୁଥିବା ଟମାଟୋର ଦରକୁ ଦେଖି ଏବଂ କର୍ଣ୍ଣାଟକରେ ଚୋରି ହୋଇଥିବା ଅଢ଼େଇ ଲକ୍ଷର ଟମାଟୋର କଥା ଶୁଣି ନିଜ କ୍ଷେତର ଚତୁଃପାଶ୍ୱର୍ରେ ସିସିଟିଭି କ୍ୟାମେରା ଲଗାଇ ଟମାଟୋ କୁ ଜଗି ରହିଛନ୍ତି ଏହି ଚାଷୀ ଜଣକ ।

ତମାମ ଦେଶରେ ଟମାଟୋର ସୁରକ୍ଷାକୁ ନେଇ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛିି । କଥାଟି ଶୁଣିବାକୁ ମଜାଳିଆ ଲାଗୁଥିଲେ ମଧ୍ୟ କଥାଟି ସମ୍ପୁର୍ଣ୍ଣ ସତ । ଦେଶରେ ଟମାଟୋର ଦରବୃଦ୍ଧି ଏଭଳି ସଙ୍କଟ ଆଣିଦେଇଛି ।