ବାଣପୁର / ସୁଧୀର କୁମାର ପତ୍ର: ସୁସ୍ଥ ସମାଜ ଗଠନ , ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ । ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇଥାଏ । ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ ପାଳନ କରୁଛି ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଯୋଗ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ। ଯୋଗ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଯାହାକି ଅସମ୍ଭବକୁ ସମ୍ଭବରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ଜାତୀୟ ଆୟୁଷ ମିଶନ୍ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ପାଳନ କରାଯାଇଛି ନବମ ବିଶ୍ୱ ଯୋଗ ଦିବସ। ଆଜିର ଏହି ପବିତ୍ର ଯୋଗ ମହୋତ୍ସବରେ ଭେଟେଶ୍ୱର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଯୋଗ ବୀର ଓ ଯୋଗ ବିରାଙ୍ଗନା ମାନେ ଅଂଶ ଗ୍ରହଣ କରି ଅତି ଉତ୍ସାହର ସହ ପାଳନ କରିଥିଲେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଆଜିର ଏହି ଯୋଗ ଦିବସରେ ସଂମ୍ମାନୀତ ଅତିଥି ଭାବେ ଯୋଗ ଦାନ ଦେଇ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ ଏବଂ ଅଞ୍ଚଳର ଲୋକପ୍ରିୟ ଜନନେତା ତଥା ସମାଜ ସେବୀ ଜିତେନ୍ଦ୍ର ଭୋଳ। ଚିକିତ୍ସାଳୟର ଡାକ୍ତର ଡ଼. ସ୍ନିଗ୍ଧାରାଣୀ ନାୟକ ଏହାକୁ ପରିଚାଳନା କରିଥିବା ବେଳେ କର୍ମଚାରୀ ନିଲୁ ବେହେରା ଓ ରତ୍ନାକର ବାରିକ ସହଯୋଗ କରିଥିଲେ। ଯୋଗାଚାର୍ଯ୍ୟ ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମ କୁ ସଂଚାଳନା କରି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ସରଳ ଭାବେ ବୁଝାଇବା ସହ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ।