ନ୍ୟୁୟର୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ସମୟରେ ଟ୍ରକରେ ଯାତ୍ରା କରି ଡ୍ରାଇଭରମାନଙ୍କ ସମସ୍ୟା ବିଷୟରେ ବୁଝିଥାନ୍ତି । ପୂର୍ବରୁ ସେ ମଧ୍ୟ ଭାରତରେ ଟ୍ରକ ଯାତ୍ରା କରିଥିଲେ । ସେ ପଞ୍ଜାବରେ ଏକ ଟ୍ରକରେ ଯାତ୍ରା କରି ଡ୍ରାଇଭରଙ୍କର ବିଭିନ୍ନ ସମସ୍ୟା ବାବଦରେ ବୁଝିଥିଲେ । ଏବେ ସେ ଆମେରିକା ଗସ୍ତରେ ଅଛନ୍ତି । ଏଥର ଆମେରିକାରେ ମଧ୍ୟ ଟ୍ରକ ଡ୍ରାଇଭରଙ୍କ ପାଖରେ କ୍ୟାବିନରେ ବସି ଯାତ୍ରା କରିଥିଲେ । ଏହି ସମୟରେ ସେ ଏକ ଟ୍ରକରେ ୱାସିଂଟନରୁ ନ୍ୟୁୟର୍କ ପାଖାପାଖି ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଯାତ୍ରା ସମୟରେ ସେ ଟ୍ରକ ଡ୍ରାଇଭର ତେଜିନ୍ଦର ଗିଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ରାହୁଲ ଏହି ଆଲୋଚନା ସମୟର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଆଲୋଚନା ସମୟରେ ରାହୁଲ ବିଦେଶରେ ଟ୍ରକ ଡ୍ରାଇଭର ଓ ଭାରତର ଟ୍ରକ ଡ୍ରାଇଭରଙ୍କ ସମସ୍ୟାକୁ ନେଇ କହିଥିଲେ । ତେବେ ଟ୍ରକରେ ଯାତ୍ରା ସମୟରେ ରାହୁଲ ଯେତେବେଳେ ତେଜିନ୍ଦରଙ୍କ ଦରମା ଜାଣିଥିଲେ ସେତେବେଳେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।
ଯାତ୍ରା ସମୟରେ ଡ୍ରାଇଭର ତେଜିନ୍ଦର ରାହୁଲଙ୍କୁ କହିଥିଲେ ଯେ ଏଠାରେ ଟ୍ରକରେ ବହୁତ ସୁରକ୍ଷା ବ୍ୟବସ୍ଥା ରହିଛି । କୌଣସି ପୁଲିସ କର୍ମଚାରୀ ହଇରାଣ କରନ୍ତି ନାହିଁ । ଅଧିକ ବେଗରେ ଟ୍ରକ ଚଳାଇଲେ ଚାଲାଣ କଟିଥାଏ । ଏହାପରେ ରାହୁଲ ପଚାରିଥିଲେ ଯେ ମାସକୁ କେତେ ଟଙ୍କା ରୋଜଗାର କରୁଛ, ଟ୍ରକ ଡ୍ରାଇଭର କହିଥିଲେ ଯେ ସେ ମାସକୁ ୪ରୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯଦି ଆଉ ଟିକେ ପରିଶ୍ରମ କରିବେ ତେବେ ମାସକୁ ୮ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିପାରିବେ ଯାହା ଶୁଣି ରାହୁଲ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।