ବରୀ ପଞ୍ଚାୟତ ହାଇସ୍କୁଲ ର ୪ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଯାଜପୁର / ପ୍ରଶାନ୍ତ ଦ୍ବିବେଦୀ : ବରୀ ବ୍ଳକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବଳରାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହେଶ୍ୱର ମଲ୍ଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପତି ଯୋଗଦେଇ ଏହି ବିଦ୍ୟାଳୟରୁ ଅବସର ନେଉଥିବା ଚାରି ଜଣ ଶିକ୍ଷକଙ୍କ ଉଦେଶ୍ୟରେ ଅଭିଭାଷଣ ରଖିଥିଲେ। ସେହିପରି ଆଜିର ସଭାରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ସଂଯୁକ୍ତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ପିଲାର ଖୁସି ଦେଖି ଯିଏ ଖୁସି ହୋଇଥାଏ ସେ ହେଉଛି ଶିକ୍ଷକ ବୋଲି ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନା କହିଥିଲେ। ଅନ୍ୟତମ ଅତିଥି ଭାବେ ସରପଞ୍ଚ ସୋନାଲି ସିଂ, ସୁରେନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇଥିଲେ କ୍ଷ କାର୍ୟ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ପରେ ପୁରାତନ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯଇଥିଲା । ଏହି ବିଦ୍ୟାଳୟରୁ ଅବସର ନେଉଥିବା ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ଧଳ, ସଂସ୍କୃତ ଶିକ୍ଷକ ବିନୋଦ କୁମାର ନାଥ, ସାହିତ୍ୟ ଶିକ୍ଷକ ଶ୍ରୀକାନ୍ତ କୁମାର ଜେନା ଓ କ୍ରୀଡ଼ା ଶିକ୍ଷକ ଲତିପୁର ରହେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ସହିତ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ସଂସଦର ମନୋଜ ସିଂ, ରମାକାନ୍ତ ମଲିକ, ବୀରେନ୍ଦ୍ର ସାହୁ, ଶରତ ବାରିକ, ମାନସ ସେଠି, ଜ୍ଞାନରଞ୍ଜନ ସାହୁ, ଅବିନାଶ ବାରିକ, ଦାମୋଦର ବେହେରା, ମିଟୁଆ ବାରିକ୍, ଟୁକୁ କବି ଏବଂ ସ୍କୁଲ କମିଟିର କର୍ମକର୍ତା ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ । ସଭା ଶେଷରେ ବାଣ ବାଜା ସାଙ୍ଗକୁ ନାଚ ଗୀତରେ ପ୍ରକମ୍ପିତ ହୋଇଥିଲା ସ୍କୁଲ ପରିସର। ପୁରାତନ ଛାତ୍ର ଛାତ୍ରୀ ମାନେ ଏକ ବିରାଟ ପଟୁଆର ସହିତ ରୋଷଣୀ କରି ଶିକ୍ଷକ ମାନଙ୍କ ବାସଭବନ ପର୍ୟ୍ୟନ୍ତ ଯାଇଥିଲେ। ଏଭଳି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଶିକ୍ଷକ ମାନଙ୍କ ଆଖି ଲୁହରେ ଛକ ଛଳ ହୋଇଯାଇଥିଲା।