ମୁମ୍ବାଇ: ଦୁନିଆର ଆରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ ସ୍ଥାନକୁ ଆସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ସମ୍ପତ୍ତି ମାମଲାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି ।
ଗୌତମ ଆଦାନୀଙ୍କ କମ୍ପାନୀ ସେୟାର ନିୟମିତ ଭାବେ ଖସି ଖସି ଚାଲିଛି । ଯାହାଫଳରେ ଆଦାନୀଙ୍କ ସମ୍ପତ୍ତି କମିବାରେ ଲାଗିଛି । ଧନୀ ତାଲିକାର ୨୧ତମ ସ୍ଥାନରେ ଥିବା ଗୌତମ ଆଦାନୀ ୨୩ତମ ସ୍ଥାନକୁ ଖସିଛନ୍ତି ।
ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ଅନୁସାରେ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ଦିନକରେ ୫.୦୬ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୫.୮ ଅରବ ଡଲାର ରହିଛି । ସେହିଭଳି ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୩୫.୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏଥିସହ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫.୫ ଅରବ ଡଲାର ରହିଥିବା ବେଳେ ସେ ତାଲିକାରେ ୧୩ତମ ସ୍ଥାନରେ ଅଛନ୍ତି ।