ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ/ ଜୟନ୍ତ କୁମାର ସେଠି : ଏଥର ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଅପରାଧରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ ପ୍ରଦର୍ଶନ କରିବାକୁ ୧୧୦ରେ ବଣ୍ଡ ଦେଇ ମୁକୁଳି ଥିବା ଓ ଏହାର ଉଲ୍ଲଘଂନ କରି ପୁଣି ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ପଷ୍ଟ କରି ଦିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ଏସଡିଏମ ଭବତାରଣ ସାହୁଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ସହର ତଥା ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ୨୬୩ ଜଣ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦେବୀଘାଟର ରୁମାନୀ ପ୍ରସାଦ ସିଂ, ମାର୍କଣ୍ଡେଶ୍ୱର ସାହିର ବାପୁନା ଓରଫ ସନ୍ତୋଷ ରାଉତ, ଲୋକନାଥ୍ ରୋଡର ଜୁଲୁ ଓରଫ ଜ୍ଞାନେନ୍ଦ୍ର ମାଣିଆ ପୁନଃ ଅପରାଧ ରେ ଜଡ଼ିତ ହେଉଥିବା ଜଣାଯାଇଛି। ସିଆରପିସି ଧାରା ୧୨୨, ୧ବି ଅନୁଯାୟୀ ଭଲ ବ୍ୟବହାର ପାଇଁ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତି ଯଦି ପୁଣି ଅପରାଧରେ ଜଡ଼ିତ ହୁଏ ତେବେ ବଣ୍ଡରେ ଉଲ୍ଲେଖ ୩ ବର୍ଷ ରୁ ବାକିଥିବା ସମୟ ର ସଜା ତାକୁ ଭୋଗିବାକୁ ପଡ଼ିବ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଦେଇଛନ୍ତି । ଏପରିକି ବଣ୍ଡ ନିୟମ ଅନୁସାରେ ସଂପୃକ୍ତ ଥାନାରେ ନିର୍ଦ୍ଧାରିତ ସମୟରେ ହାଜର ନ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତ। ଅତିରିକ୍ତ ଏସ ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଅପରାଧୀଙ୍କ ପ୍ରତି ପୋଲିସ ପ୍ରଶାସନ କଡା ନଜର ରଖିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଣାଇଛନ୍ତ। ଏହି ସଭାରେ ଏସଡିପିଓ କିଶୋର କୁମାର ମୁଣ୍ଡ, ସିଟି ଡି ଏସ ପି କେ କେ ହରିପ୍ରସାଦଙ୍କ ସହ ସମସ୍ତ ଥାନାର ଆଇଆଇସି ପ୍ରମୁଖ ଯୋଗ ଦେଇଥିଲେ।