ରାସ୍ତାରେ ହଙ୍ଗାମା କରିବା ପଡିଲା ମହଙ୍ଗା, ଗିରଫ ହେଲେ ୟୁଟ୍ୟୁବର୍ । ରାସ୍ତାରେ ସାଙ୍ଗମାନଙ୍କ ସହ ପାଳନ କରିଥିଲେ ଜନ୍ମଦିନ, କିନ୍ତୁ ଭିଡିଓ ଭାଇରାଲ୍ ପରେ ଗିରଫ କଲା ପୋଲିସ୍ ।ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଗୁରୁବାର ୟୁଟ୍ୟୁବର୍ ପ୍ରିନ୍ସଙ୍କୁ ଗିରଫ କରିଛି। ଏହି ଭାଇରାଲ ଭିଡିଓରେ ୟୁଟ୍ୟୁବର ଏବଂ ତାଙ୍କ ସାଙ୍ଗମାନେ ଏକ କାରର ସନ୍ରୁଫରୁ ବାହାରି ଛିଡ଼ା ହୋଇ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥିଲା ।
ମିଳିଥିବା ସୂଚନାନୁସାରେ ଗତବର୍ଷ ନଭେମ୍ବର ୧୬ରେ ୟୁଟ୍ୟୁବର୍ ପ୍ରିନ୍ସ୍ ତାଙ୍କ ସାଙ୍ଗମାନଙ୍କ ସହ ରାସ୍ତାରେ ହଙ୍ଗାମା କରିଥିଲେ । ଘଟଣା ପୂର୍ବ ଦିଲ୍ଲୀର ପାଣ୍ଡବ ନଗର ନିକଟସ୍ଥ NH-୨୪ରେ ଘଟିଥିଲା । ଗୋଟିଏ କି ଦୁଇଟି ଗାଡି ନୁହେଁ ବରଂ ଅନେକ ଗାଡି ନେଇ ପ୍ରିନ୍ସ୍ ଏବଂ ତାଙ୍କ ସାଙ୍ଗମାନେ ସମ୍ପୂର୍ଣ୍ଣ ରାସ୍ତା ଅବରୋଧ କରି କାର୍ ର ସନ ରୁଫରୁ ବାହାରି ଏଭଳି ହଙ୍ଗାମା କରିଥିଲେ । ଯେଉଁ କାରଣରୁ ରାସ୍ତାରେ ଟ୍ରାଫିକ ଜାମ୍ ହେବା ସହ ସାଧାରଣ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେତେବେଳେ ପ୍ରିନ୍ସ ଏବଂ ତାଙ୍କ ସାଙ୍ଗମାନେ ପୂର୍ବ ଦିଲ୍ଲୀର ଶକରପୁର ଯାଉଥିଲେ, ସେହି ସମୟରେ ଏହି ଭିଡିଓ ସୁଟ କରାଯାଇଥିଲା। ପଚାରିବାରୁ ପ୍ରିନ୍ସ୍ କହିଥିଲେ ଯେ ସେମାନେ ଜନ୍ମଦିନ ପାଳନ କରୁଥିଲେ।
ପୋଲିସ ଏହି ଘଟଣାରେ ଆଇପିସି ଧାରା ୨୭୯, ୨୮୩ ଓ ୨୯୦ ଅନୁଯାୟୀ ମାମଲା ରୁଜୁ କରିବା ସହ ପ୍ରିନ୍ସ୍ଙ୍କୁ ଗିରଫ କରିଛି। ଅନ୍ୟପଟେ ଭାଇରାଲ ଭିଡିଓରେ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି।