ଇଡିରେ ହାଜର ହୋଇପାରନ୍ତି ସୋନିଆ ଗାନ୍ଧୀ

ପ୍ରତିବାଦରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଚଳିତ ଥରକୁ ମିଶାଇ ତିନିଥର ନୋଟିସ କରାଯାଇସାରିଲାଣି। ପୂର୍ବରୁ ଦୁଇ ଥର ନୋଟିସ ହୋଇଥିଲେ ମଧ୍ୟ ଅସୁସ୍ଥତା ଦର୍ଶାଇ ହାଜର ହୋଇନଥିଲେ। ତେବେ ଏନଇ କଂଗ୍ରେସ ପକ୍ଷରୁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଜୁଲାଇ ୨୧ ତାରିଖ ଦିନ ଦଳ ପକ୍ଷରୁ କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ଭାରତ ଯୋଡ ଯାତ୍ରା ଅନୁଷ୍ଠିତ ହେବ ବୋଲି ବୈଠକରେ ଆଲୋଚନା ହୋଇପାରେ। ତେବେ ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ଏହି ସୁଯୋଗରେ କଂଗ୍ରେସ ସାଂସଦମାନେ ଗୃହରେ ପ୍ରତିବାବ କରିବେ ବୋଲି ଜଣାପଡିଛି।

କଂଗ୍ରେଗ ସଭାପତି ସୋନିଆ ଗାନ୍ଧୀ ଜଣେ ଟାଇଗ୍ରେସ। ତେଣୁ ଏ ନୋଟିସକୁ ଖାତିର କରନ୍ତି ନାହିଁ। ସେ ଇଡି କାର୍ଯ୍ୟାଳୟକୁ ଯାଇ ବିଜେପି ସରକାରର ସାମ୍ନା କରିବେ ବୋଲି ବରିଷ୍ଠ ନେତା ମଲ୍ଲୀକାର୍ଜୁନ ଖାଡଗେ ଗଣମାଧ୍ୟମକୁ କହିଛନ୍ତି। ଇଡି ପକ୍ଷରୁ ନେସନାଲ ହେରାଲ୍ଡ ମାମଲାରେ ଶ୍ରୀମତୀ ଗାନ୍ଧୀଙ୍କୁ ନୋଟିସ ସହିତ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖାଡଗେ ଓ ପୱନ ବଂଶଲଙ୍କୁ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ସେହିପରି ଇଡି ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟା ଧରି ପଚରାଉଚୁରା କରାଯାଇଥିଲା। ପ୍ରତିବାଦରେ ସାରାଦେଶରେ ଥିବା ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।

ବୈଠକରେ ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲୀକାର୍ଜୁନ ଖାଡଗେ, କେସି ବେଣୁଗୋପାଳ, କଂଗ୍ରେସ କୋଷାଧ୍ୟକ୍ଷ ପୱନ ବଂଶଲ, ମୁକୁଲ ୱାସିକ, ଅଜୟ ମାକେନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୨୧ ତାରିଖ ଦିନ ୧୧ ଟା ସମୟରେ ଇଡିରେ ହାଜର ହେବା ଲାଗି ନୋଟିସରେ କୁହାଯାଇଛି।