ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଧାନସଭାରେ ବିଜେଡିର ସାଂସଦ ଓ ବିଧାୟକଙ୍କ ସହ ବୈଠକ ସାରିବା ପରେ ମଧ୍ୟାହ୍ନ ଭୋଜନ ଲାଗି ନବୀନ ନିବାସ ଯାଇଥିଲେ। ଶ୍ରୀମତୀ ମୁର୍ମୁ ନବୀନ ନିବାସରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିଲେ। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ପିନାକୀ ମିଶ୍ର ପ୍ରମୁଖ ପହଞ୍ଚିଥିଲେ। ସମସ୍ତେ ଏକାଠି ଭୋଜନ କରିଥିଲେ। ଭୋଜନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ନବୀନ ନିବାସରୁ ବିଦାୟ ଦେଇଥିଲେ। ସେଠାରୁ ଆସିବା ପରେ ରାଜ୍ୟ ଅତିଥି ଭବନକୁ ଯାଇଥିଲେ। ତେବେ ଆଜି ଶ୍ରୀମତୀ ମୁର୍ମୁଙ୍କର ଉତ୍ତର ପ୍ରଦେଶ ଯିବାର କାର୍ଯ୍ୟକ୍ରମ ରହିଛି।

ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ପରେ ସମର୍ଥନ ଲୋଡିବା ପାଇଁ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବାବେଳେ ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ନବୀନଙ୍କ ସମେତ ଦଳର ବିଧାୟକ, ସାଂସଦ ଓ ନେତା। ତାପରେ ଦ୍ରୌପଦୀ ବିଜେଡି ନେତାମାନଙ୍କ ସହ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସି ଆଲୋଚନା କରିିଥିଲେ। ଆଲୋଚନା ଆରମ୍ଭରୁ ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ।
ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ଆଉ କହିଥିଲେ ରାଖି ବାନ୍ଧିଥିଲି ରାକ୍ଷୀର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ। ଦ୍ରୌପଦୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାର୍ଥୀ ଘୋଷଣାବେଳେ ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ। ମନ୍ତ୍ରୀ ଥିଲି ବହୁ କାମ କରିଛି। ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ବଢ଼ିବ। ଦ୍ରୌପଦୀଙ୍କ ସମ୍ବୋଧନ ପରେ ତାଙ୍କୁ ଭୋଟ ଦେବାକୁ ସମସ୍ତ ନେତାଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।