ଭୁବନେଶ୍ୱର: ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୧୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ୟ୍ୟନ୍ତ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ଉପତ୍ୟକା ଉପରେ କେନ୍ଦ୍ରୀଭୂତ ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ସତର୍କ ରହିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁରୁ. ଅନୁଗୁଳ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଗତକାଲି କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସମ୍ବଲପୁରୁ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିଲା ।ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବୌଦ୍ଧ, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ଖୋର୍ଦ୍ଧା ପୁରୀ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।