ନିଜ ଅଧିକାର ପାଇବା ପାଇଁ ସଂଘର୍ଷ କରୁଥିବା ଜଣେ ମହିଳା ନିଜ ପ୍ରେମିକଙ୍କୁ ପାଇବା ପାଇଁ ଜିଦ୍ ଧରି ବସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ପ୍ରେମିକର ଭାଇ ରାଗରେ ଜର୍ଜରିତ ହୋଇ ମହିଳାଙ୍କୁ ହତ୍ୟା କରିଛି। ଗଞ୍ଜାମଜିଲ୍ଲା ହିଞ୍ଜିଳି ଥାନା ଅଧୀନ କେ ଖରିଡା ଗାଁରେ ମଙ୍ଗଳବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ କେ ଖରିଡା ଗାଁର ଚିଣ୍ଟୁ ଗୌଡ଼ଙ୍କ ସହିତ ରମ୍ଭା ଥାନା ଅନ୍ତର୍ଗତ ପୂଜା ସ୍ବାଇଁଙ୍କର ପ୍ରାୟ ୪ ବର୍ଷ ପୂର୍ବରୁ ଇନ୍ଷ୍ଟାଗ୍ରାମରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପରେ ଉଭୟ ଚିଣ୍ଟୁ ଏବଂ ପୂଜା ମୋବାଇଲ୍ ଫୋନ୍ରେ କଥାବାର୍ତ୍ତା କରିଥିଲେ। ସଂପର୍କ ଅତି ନିକଟତର ହେଲା ପରେ ସେମାନେ ଫେରାର ହୋଇଯାଇଥିଲେ। ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରି ଜୀବନ ବିତାଉଥିଲେ। ସେମାନଙ୍କର ୩ବର୍ଷ ବୟସର ଏକ ଶିଶୁକନ୍ୟା ଅଛି। କୁହାଯାଉଛି ଯେ, ପୂଜା ୪ମାସର ଗର୍ଭବତୀ ଥିଲେ। ତେବେ କିଛି ମାସ ପୂର୍ବରୁ ପୂଜା ଏବଂ ଶିଶୁକନ୍ୟାକୁ ନେଇ ଚିଣ୍ଟୁ ନିଜ ପୈତୃକ ଘର କେ ଖରିଡ଼ାକୁ ନେଇ ଫେରିଥିଲେ।
ବାହାର ରାଜ୍ୟକୁ କାମ କରିଯିବାକୁ କହି ପୂଜା ଏବଂ ଶିଶୁକନ୍ୟାକୁ ନେଇ ଚିଣ୍ଟୁ ଘରୁ ବାହାରି ଥିଲେ। ଉଭୟ ମା’ ଏବଂ ଝିଅଙ୍କୁ ନେଇ ସେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ ସେ ମା’-ଝିଅଙ୍କୁ ଗୋଟିଏ ସ୍ଥାନରେ ବସାଇ ଦେଇ ଶୌଚାଳୟ ଯିବା ବାହାନାରେ ଖସି ପଳାଇ ଯାଇଥିଲେ। ରେଳ ଷ୍ଟେସନରେ ପୂଜା ରାତିସାରା ଉଜାଗର ରହିଥିଲେ ମଧ୍ୟ ଚିଣ୍ଟୁ ଆଉ ଫେରି ନଥିଲେ।
ପୂଜା ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ପରାମର୍ଶ ଦେଇଥିଲା ଯେ, ସ୍ବାମୀ-ସ୍ତ୍ରୀ ଏକାଠି ରୁହନ୍ତୁ। ପୁଲିସର ପରାମର୍ଶ ଅନୁସାରେ ପୂଜା ଆଜି ପ୍ରେମିକର ଘର ଆଗରେ ଧାରଣା ଦେଇଥିଲେ। ମାମଲାର ସମାଧାନ ପାଇଁ ପୁଲିସ ଏବଂ ମିଡ଼ିଆ ପ୍ରତିନିଧିମାନେ ଆଜି ପୂର୍ବାହ୍ଣରେ ଚିଣ୍ଟୁଙ୍କ ଘରେ ପହଞ୍ଚି ଥିଲେ। ପୂଜା ଗଣମାଧ୍ୟମକୁ ବୟାନ ମଧ୍ୟ ଦେଇଥିଲେ। ଏହି ସମୟରେ ଚିଣ୍ଟୁ ଗୌଡ଼ର ଭାଇ ଲିଟୁ ସବୁ ଦେଖୁଥିଲା। ପୁଲିସ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରୁ ଫେରିଯିବା ପରେ ଉତ୍ତେଜିତ ହୋଇ ପୂଜାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇ ପୂଜା ଆଖି ବୁଜିଥିଲେ।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରିଛି।