ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହିଂସା ବଢୁଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ସକାଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ଅର୍ଦ୍ଧସାମରିକ ବାହିନୀ ଓ ଆସାମ ରାଇଫଲରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ଲାଗି ଘୋଷଣା କରାଯାଇଥିଲା। ତେବେ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ଅଫର ଘୋଷାଣା କରାଯାଇଛି। ସେମାନଙ୍କ ଲାଗି ଭାରତୀୟ ତଟରକ୍ଷୀ ବାହିନୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସେହିପରି ଭାରତ ସରକାରଙ୍କ ୧୬ଟି ରାଷ୍ଟ୍ରାୟତ ଉଦ୍ୟୋଗରେ ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ସେନା ଆଶାୟୀଙ୍କ ଯୁବକଙ୍କ ତୀବ୍ର ବିରୋଧ ପ୍ରଦର୍ଶନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସକାଳେ ତିନି ସେନାର ମୁଖ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ବୈଠକରେ ସ୍ଥଳସେନା ଉପମୁଖ୍ୟ ବିଏସ ରାଜୁ, ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ, ଜଳସେନା ମୁଖ୍ୟ ଆର ହରି କୁମାର ପ୍ରମୁଖ ଯୋଗଦେଇଥିଲେ। ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ହାଇଦ୍ରାବାଦ ଗସ୍ତ ଥିବାରୁ ବୈଠକରେ ଯୋଗଦେଇ ପାରିନଥିଲେ। ତେବେ ଏଥିଲାଗି ତିନି ସେନା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।