ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମର ଶପଥ ପାଠ ପରେ ଆଜି ନୂଆ ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିଛନ୍ତି ।ତେବେ ନବୀନଙ୍କ ନୂଆ ଟିମରେ ଥିବା କିଛି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ କିଛି ମନ୍ତ୍ରୀ ନିଜ ବିଭାଗରେ ସମୀକ୍ଷା ବୈଠକ ଡାକିଛନ୍ତି । ତେବେ ନବୀନଙ୍କ ଟିମରୁ ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା,ଜଙ୍ଗଲ, ପରିବେଶ, ପଞ୍ଚାୟତରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ ପ୍ରଦୀପ ଅମାତ୍, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି।ତେବେ ତୁଷାରକାନ୍ତି ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ଏହାକୁ କିପରି ସୂଚାରୁ ଭାବେ ତୁଲାଇବେ, ତା ଉପରେ ଗୁରୁତ୍ବ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷେ, ନୂଆମନ୍ତ୍ରୀ ମଣ୍ଡଳରେ ବାଦ୍ ପଡିଥିବା ୧୦ମନ୍ତ୍ରୀ ଆଜି ଯାଇ ନବୀନ ନିବାସରେ ପହଞ୍ଚିଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିବା ବେଳେ । ଗତକାଲି ନୂଆମନ୍ତ୍ରୀ ମଣ୍ଡଳ ଶପଥ ନେଇଥିବା ବେଳେ ସେଥିରୁ ବାଦ୍ ପଡିଥିଲେ ୧୦ ମନ୍ତ୍ରୀ । ତେବେ ବାଦ୍ ପଡିଥିବା ମନ୍ତ୍ରୀ ମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ଗତକାଲି ୨୧ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ୍ । ଏନେଇ ଆଗକୁ ମନ୍ତ୍ରୀମାନଙ୍କୁ କିଛି ସୁଯୋଗ ମିଳିପାରେ ବୋଲି ମଧ୍ୟ ଆଶା କରାଯାଉଛି । ସଙ୍ଗଠନ ଦାୟିତ୍ୱ ବୁଝିବା ନେଇ ବାଦ୍ ପଡିଥିବା ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । 6-T ମନ୍ତ୍ରରେ ଗୁରୁମନ୍ତ୍ର ଦେଇ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ଦଳୀୟ ସୁପ୍ରିମୋ ନୂଆ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।