ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୪ ବର୍ଷ ଜେଲଦଣ୍ଡ
ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ।
(ଦିଲ୍ଲୀ) : ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୪ ବର୍ଷ ଜେଲଦଣ୍ଡ। ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ। ଏଥିସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି।
୮୭ ବର୍ଷୀୟ ଚୌତାଲାଙ୍କୁ ମେ’ ୨୧ ତାରିଖରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଦଣ୍ଡ ବିଧାନ କରିଛନ୍ତି।
୨୦୧୦ ମସିହା ମାର୍ଚ୍ଚ ୨୬ରେ ସିବିଆଇ ଚୌତାଲାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଏହାପୂର୍ବରୁ ୨୦୦୫ରେ ସିବିଆଇ ତାଙ୍କ ନାଁରେ ମାମଲା କରିଥିଲା। ଚାର୍ଜଶିଟରେ ସିବିଆଇ କହିଥିଲା ଯେ ଚୌତାଲା ୧୯୯୩ରୁ ୨୦୦୬ ମଧ୍ୟରେ ବେଆଇନ ଭାବେ ୬.୦୯ କୋଟି ଟଙ୍କା ଠୁଳ କରିଥିଲେ। ୨୦୨୧ ଜାନୁଆରୀରେ ଦିଲ୍ଲୀ କୋର୍ଟ ଚୌତାଲାଙ୍କ ବିରୋଧରେ ମନି ଲଣ୍ଡରିଂ ଚାର୍ଜ ଲଗାଇଥିଲେ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏପରି ଚାର୍ଜ ତାଙ୍କ ନାଁରେ ଲାଗିଥିଲା।