କେନ୍ଦ୍ରାପଡା( ସଞ୍ଜୟ କୁମାର ବାରିକ):- ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଟାଣିନେଲା କୁମ୍ଭୀର । ଆଳି ବ୍ଲକ ଏକମାଣିଆ ପଂଚାୟତ ନଳପାହି ଗାଁର ଶତ୍ରୁଘ୍ନ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା(୪୦) ଗତକାଲି ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥଲେ। ହେଲେ ଶିବଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ଗ୍ରାମବାସୀ ଖୋଜାଖୋଜି ପରେ ଶିବଙ୍କୁ ନ ପାଇବାରୁ ନଦୀ କୂଳରେ ପହଞ୍ଚି ସେ ସାଙ୍ଗରେ ନେଇଥିବା ଟର୍ଚ୍ଚ ଏବଂ ଗାମୁଛା ପଡି ରହିଥିବା ପାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରଙ୍କ ଉପଦ୍ରବ ଥିବାରୁ କୁମ୍ଭୀର ଟାଣି ନେଇଛି ବୋଲି ଗ୍ରାମବାସି ବନ ବିଭାଗକୁ ସୂଚନା ଦେଇଥିଲେ ।
ତେବେ ଅଗ୍ନିଶମ ଓ ବନ ବିଭାଗର ଖୋଜା ଖୋଜି ପରେ ଆଜି ଦିନ ୦୨ ଟା ୩୦ ମିନିଟ ସମୟରେ ତାଙ୍କର ମୃତ ଦେହ କେରଡ଼ାଗଡ଼ର ଦାନ୍ତୁଆଣି ନାଳୀ ଠାରେ ମିଳିଥିଲା । ଉଦ୍ଧାର ହୋଇଥିବା ତାଙ୍କ ଶବରେ ୨ ହାତ ସମ୍ପୂର୍ଣ୍ଣ ଭାବରେ ନଥିବା ବେଳେ, ତାଙ୍କ ମୃତ ଦେହରେ କ୍ଷତ ଚିହ୍ନ ରହିଛି । ସୂଚନା ଥାଉକି ଶିବଙ୍କର ୩ ଝିଅ ଥିବାବେଳେ ତାଙ୍କର ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି।