ମିଡ୍ ଡେ ମିଲରେ ସାଂଘାତିକ ଦୁର୍ନୀତି: ଚାଉଳ ଓ ଅଟା ଗାଏବ

ମିଡ୍‌ ଡେ ମିଲ୍‌ ଯୋଜନାରେ ଦୁର୍ନୀତି। ସ୍କୁଲ ପିଲାଙ୍କ ପାଇଁ ଆବଣ୍ଟିତ ହୋଇଥିବା ୩ ହଜାର କ୍ୱିଣ୍ଟାଲର ଅଟା ଓ ଚାଉଳ ଗାଏବ। ହେଲେ ପିଲାଙ୍କ ପେଟକୁ ଯିବା ବଦଳରେ ଅଧା ବାଟରୁ ହୋଇଯାଇଛି ବାଟମାରଣା। ଏପରି ସାଂଘାତିକ କେଳେଙ୍କାରୀ ଯୋଗୁ ରାଜସ୍ଥାନର କୋଟାରେ ହୋଇଛି।

ରାଜସ୍ଥାନର କୋଟାରେ  ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଚାଉଳ ଓ ଅଟା ଗାଏବ ହଇଚଇ ସୃଷ୍ଟି କରିଛି। ଗୁଜରାଟ ଭିତ୍ତିକ ଗୋଟିଏ ପରିବହନ କଣ୍ଟ୍ରାକ୍ଟର ଏପରି ଜାଲିଆତି କରିଥିବା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଛି ଶିକ୍ଷା ବିଭାଗ। ଆଉ ତଦନ୍ତରୁ ଆସିଛି ସମସ୍ତଙ୍କୁ ଚକିତ କରିବା ତଥ୍ୟ।

ଗୋଟିଏ ସରକାରୀ ଗୋଦାମରୁ ବିଭିନ୍ନ ପର୍ୟ୍ୟାୟରେ ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟଶତ୍ସ୍ୟ ସଂଗ୍ରହ କରାଯାଇଥିଲା। ହେଲେ ଏହା ମଧ୍ୟରୁ ୩,୨୧୩ କ୍ୱିଣ୍ଟାଲ ଅଟା ଓ ଚାଉଳ କେବେ ବି କୌଣସି ସ୍କୁଲରେ ପହଞ୍ଚି ପାରିନାହିଁ।

ଅଧା ବାଟରେ ହିଁ ଏହାକୁ ପରିବହନ ଦାୟିତ୍ୱରେ ଥିବା କଣ୍ଟ୍ରାକ୍ଟର ଓ ଆଉ କିଛି ଅଧିକାରୀ ବାଟମାରଣା କରିନେଇଛନ୍ତି। ଗାଏବ ଜିନିଷର ମୂଲ୍ୟ ସରକାରୀ ଦର ଅନୁସାରେ ୮୧ ଲକ୍ଷ ଟଙ୍କା ହେବ। କିନ୍ତୁ ଖୋଲା ବଜାରରେ ଏଗୁଡ଼ିକର ମୂଲ୍ୟ ୧ କୋଟିରୁ ୧.୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି ବାଟମାରଣା କଥା ଅଧିକୃତ ଅଧିକାରୀ ଜାଣିବା ପରେ ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।