ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି। ଉତ୍ତରପ୍ରଦେଶର ସୁଲତାନପୁରରେ ୨୦୧୮ ମସିହାରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷମୁକ୍ତ କରିଛନ୍ତି ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋର୍ଟ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ରୁଜୁ ମାମଲାରେ ପ୍ରମାଣ ଅଭାବରୁ କୋର୍ଟ ସୋମବାର ଏହି ରାୟ ଶୁଣାଇଛନ୍ତି। ରାୟ ଘୋଷଣା ସମୟରେ ରାହୁଲ ଗାନ୍ଧି ନିଜେ କୋର୍ଟରେ ଉପସ୍ଥିତ ଥିଲେ।
ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ନେତା ବିଜୟ ମିଶ୍ରା ଅଭିଯୋଗ ଦାଖଲ କରିଥିଲେ। ବିଜୟ ହେଉଛନ୍ତି ସୁଲତାନପୁର ଅନ୍ତର୍ଗତ ହନୁମାନଗଞ୍ଜର ବାସିନ୍ଦା ଓ ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ। ୨୦୧୮ ଅଗଷ୍ଟ ୪ରେ ମିଶ୍ରା ବେଙ୍ଗାଲୁରୁ ରାଲିରେ ରାହୁଲ ଗାନ୍ଧି ଦେଇଥିବା ଭାଷଣ ଅମିତ ଶାହଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଚୂଡ଼ାନ୍ତ ଶୁଣାଣି ବେଳେ ରାହୁଲ ଗାନ୍ଧିଙ୍କ ଓକିଲ ସିଧାସଳଖ ବିବାଦରେ ଥିବା ବୟାନ କଂଗ୍ରେସ ନେତା ଜଣଙ୍କ ଦେଇଥିବା ସ୍ୱୀକାର କରିଥିଲେ। କିନ୍ତୁ ତାଙ୍କ ଯୁକ୍ତି ଥିଲା ଯେ ଏହି ବୟାନ କାହାକୁ ଜାଣିଶୁଣି ଅପମାନିତ କରିବା ପାଇଁ ଦିଆଯାଇ ନଥିଲା। ରାହୁଲ ଗାନ୍ଧିଙ୍କ ବୟାନକୁ ବିକୃତ ଓ ଭୁଲ ଭାବେ ଉପସ୍ଥାନ କରାଯାଇଥିଲା ବୋଲି ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।
ଅଭିଯୋଗକାରୀଙ୍କ ଓକିଲଙ୍କ କହିବା କଥା ଥିଲା ଯେ ରାହୁଲ ଗାନ୍ଧି ବୟାନକୁ ସ୍ୱୀକାର କରିଥିବାରୁ ଏହା ତାଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ପ୍ରଥମେ ରାୟ ସଂରକ୍ଷିତ ରଖିଥିଲେ। ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ଶୁଭମ ବର୍ମା ଆଜି ଶେଷରେ ରାହୁଲ ଗାନ୍ଧିଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥିସହ ଦୀର୍ଘ ବର୍ଷ ଧରି ଚାଲିଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ମଧ୍ୟ ଟାଣିଛନ୍ତି।